ଭିଜିଲାନ୍ସ ଅଧିକାରୀଙ୍କ ନାମରେ ଠକେଇ ମାମଲା: ତଦନ୍ତ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ଏସ୍‌ଡିଜେଏମ୍‌

ବାଲେଶ୍ୱର ଅଫିସ, ୨୯।୭: ଲୋକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇବା ନେଇ ବାଲେଶ୍ୱର ଜିଲା ଭିଜିଲାନ୍ସ କୋର୍ଟରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟରଙ୍କ ସମେତ ୬ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଲାଗି ବାଲେଶ୍ୱର ଏସ୍‌ଡିଜେଏମ୍‌ ସହଦେବଖୁଣ୍ଟା ମଡ଼େଲ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ୍ରାଉଡ଼-ୱାନ କମ୍ପାନୀ ନାମରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲି ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆର୍ଥତ୍କ ହେରଫେର କରିଥିବା ୬ଜଣଙ୍କ ବିରୋଧରେ ମାମଲା ରୁଜୁ ଲାଗି ବାଲେଶ୍ୱର ଜିଲା ଏସ୍‌ଡିଜେଏମ୍‌ ଗତ ୨୭ତାରିଖରେ ଏକ ଆଦେଶନାମା ନମ୍ବର ୩୫୬ରେ ସହଦେବଖୁଣ୍ଟା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଲିଆପାଳ ଥାନା ଆଠବାଟିଆ ଗ୍ରାମର ରାମହରି ଜେନା ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ନିରୁପାୟ ହୋଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଆଇପିସି ଧାରା ୪୧୯, ୪୨୦, ୧୬୮, ୧୨୦(ବି) ଏବଂ ସେକ୍ସନ ୬ ଓ ୭ ପି ସି ଆଣ୍ଡ ଏମ ସି ସ୍କିମ (ବ୍ୟାନିଙ୍ଗ ଆକ୍ଟ) ଅନୁଯାୟୀ ଭିଜିଲାନ୍ସ ଅଧିକାରୀ ରାମଚନ୍ଦ୍ର ମହାଳିକ, ସ୍ତ୍ରୀ ଜୟନ୍ତୀ ପାଣିଗ୍ରାହୀ ଓ ୧୫ ବର୍ଷୀୟ ନାବାଳକ ପୁତ୍ରଙ୍କ ସହ ଭିଜିଲାନ୍ସ ସତନ୍ତ୍ର ଅଦାଲତର ପବ୍ଲିକ ପ୍ରସିକ୍ୟୁଟର ଶେଖ ହାଜିରୁଦ୍ଦିନ, ନୀଳାମ୍ବର ପଣ୍ଡା ଓ ପ୍ରଦୀପ ମାଝିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ, ଗତ ୨୦୨୧ରେ କରୋନା ସମୟରେ ବାଲେଶ୍ୱର ଭିଜିଲାନ୍ସ କୋର୍ଟ ସବ୍‌-ଇନ୍ସିପେକ୍ଟର ରାମଚନ୍ଦ୍ର ମହାଳିକ, ସ୍ତ୍ରୀ ଓ ନାବାଳକ ପୁତ୍ରଙ୍କ ନାମରେ ‘କ୍ରାଉଡ଼ ୱାନ୍‌’ ନାମକ ଅଥର୍ଲଗାଣକାରୀ ସଂସ୍ଥା କରିଥିଲେ। ନିଜକୁ ଭିଜିଲାନ୍ସର ଉଚ୍ଚ ପଦାଧିକାରୀ ଭାବେ ମିଥ୍ୟା ପରିଚୟ ଦେଇ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଉକ୍ତ ସଂସ୍ଥାରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇଥିଲେ। ଏନେଇ ପୂର୍ବରୁ ମୟୂରଭଞ୍ଜ ଜିଲା ରାସେଗାବିନ୍ଦପୁର ଅଞ୍ଚଳର ଜମାକାରୀ ସୁମନ୍ତି ରାଉତ ରାସଗୋବିନ୍ଦପୁର ଜେଏମ୍‌ଏଫ୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଜେଏମ୍‌ଏଫ୍‌ସିଙ୍କ ନିର୍ଦ୍ଦେଶକ୍ରମେ ରାସଗୋବିନ୍ଦପୁର ଥାନାରେ ଗତ ୨୨ ତାରିଖରେ ଉକ୍ତ ୬ଜଣ ଅଭିଯୁକ୍ତଙ୍କ ନାମରେ ଏକ ମାମଲା (ନଂ. ୧୫୮/୨୨) ରୁଜୁ କରାଯାଇଥିବା ଜଣାପଡ଼ିଛି।