ଭାଲେଣ୍ଟାଇନ୍ସ ଡେ’ରେ ପିଲାମାନଙ୍କୁ ଶପଥ କରାଇଲେ ଶିକ୍ଷକ: କରିବେ ନାହି ପ୍ରେମ କି ପ୍ରେମ ବିବାହ

ଅମରାବତୀ,୧୪।୨: ମହାରାଷ୍ଟ୍ର ଅମରାବତୀ ଜିଲାରେ ଥିବା ଏକ ଆର୍ଟସ କଲେଜର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପିଲାମାନଙ୍କୁ ଶିକ୍ଷକ ପ୍ରେମ କରିବାକୁ ବାରଣ କରିଥିବା ବେଳେ ପ୍ରେମ ବିବାହ ନ କରିବାକୁ ଶପଥ ଦେଇଛନ୍ତି। ଏହାସହ ଯେଉଁ ପୁଅ ଯୌତୁକ ମାଗୁଥିବ ସେଭଳି ପୁଅଙ୍କୁ ମଧ୍ୟ ବିବାହ ନ କରିବାକୁ ଶପଥ କରାଯାଇଛି। କେବଳ ପରିବାର ଲୋକେ ଓ ମାତାପିତାଙ୍କ ଉପରେ ଭରସା କରିବାକୁ ଶିକ୍ଷକ କହିଛନ୍ତି। କଲେଜ ନିକଟରେ ଆୟୋଜିତ ଏକ ଏନ୍‌ଏସ୍‌ଏସ୍‌ କ୍ୟାମ୍ପରେ ପିଲାମାନଙ୍କୁ ଏଭଳି ଶପଥପାଠ କରାଯାଇଥିବା କୁହାଯାଉଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ଭାଜପାର ଜଣେ ନେତା ଏଭଳି କାର୍ଯ୍ୟର ନିନ୍ଦା କରିଛନ୍ତି। ଏହି ଭିଡିଓରେ କେବଳ ଛାତ୍ରୀମାନେ ନଜର ଆସିଥିବାକୁ ପଙ୍କଜା ମୁଣ୍ଡେ ଟୁଇଟ୍‌ କରି କହିଛନ୍ତି ଛାତ୍ରୀ ନୁହେଁ ବରଂ ଛାତ୍ରମାନଙ୍କୁ ଏଭଳି ଶପଥପାଠ କରାଇବା ଦରକାର। ଯେଉଁମାନେ ଏକତରଫା ପ୍ରେମ କରି ଝିଅମାନଙ୍କୁ ଏସିଡ୍‌ ମାଡ କରୁଛନ୍ତି। ଆଉ ଯେଉଁମାନେ ଖରାପ ନଜରରେ ଝିଅମାନଙ୍କୁ ଦେଖୁଛନ୍ତି। ଏହାକୁ ନେଇ ଆଦିତ୍ୟ ଠାକରେ କହିଛନ୍ତି, ବିବାହ ନିଜସ୍ବ ପସନ୍ଦ ଏଥିରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ। ସୂଚନାଯୋଗ୍ୟ, ଶପଥ ସମୟରେ ଛାତ୍ରୀମାନେ କହୁଛନ୍ତି ସମାଜରେ ଏସିଡ୍‌ ମାଡ ଘଟଣାକୁ ଦେଖି ଆମେ ଶପଥ ନେଉଛୁ କେବେବି ପ୍ରେମ କରିବୁ ନାହିଁ କି ପ୍ରେମ ବିବାହ କରିବୁ ନାହିଁ।

Share