ଭାରସାମ୍ୟ ହରାଇ ୨୦ ଫୁଟ ରାସ୍ତା ତଳକୁ ଓଲଟିଲା ବସ୍‌

କେନ୍ଦୁଝର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଲ ଗ୍ରାମ ନିକଟ ୪୯ନଂ. ଜାତୀୟ ରାଜପଥରେ ଶନିବାର ୨୦ ଫୁଟ ରାସ୍ତା ତଳକୁ ଏକ ଘରୋଇ ବସ୍‌ ଓଲଟି ପଡିଛି। ଏଥିରେ ଜଣେ ଶିଶୁଙ୍କ ସହ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଯାତ୍ରୀ ହେଲେ ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗ୍ରାମର ମହନ୍ତ ଓ ତାଙ୍କ ୪ ବର୍ଷର ଶିଶୁ କନ୍ୟା, ରଙ୍ଗ ମହାନ୍ତ, ତିଳେଇପଶି ଗ୍ରାମର ବିଜୟ ନାୟକ। ସେମାନଙ୍କୁ ପାଲଲହଡା ଉପଖଣ୍ଡ ମେଡିକାଲରେ ଚିକିତ୍ସା କରାଯାଉଛି ।
ଉକ୍ତ ବସ୍‌ଟି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ଠାରୁ ତେଲକୋଇ ଦେଇ ଦେବଗଡ଼କୁ ଯାଉଥିଲା ବେଳେ ଶନିବାର ସକାଳେ ବିଞ୍ଝବାହାଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସ୍‌ ଉକ୍ତ ରାସ୍ତାଦେଇ ନୂଆ ଚାଲୁଥିବାରୁ ବେଶି ଯାତ୍ରୀ ନ ଥିଲେ । ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛି।