ଭାରସାମ୍ୟ ହରାଇ ନାଳକୁ ଖସିଲା ଟ୍ରାକ୍ଟର: ଚାପି ହୋଇ ଡ୍ରାଇଭର, ହେଲ୍‌ପରଙ୍କ ଜୀବନ ଗଲା

ଅମରପାଲି,୫।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର କଦଳୀମୁଣ୍ଡା-ଜନକପୁର ରାସ୍ତା ମଝିରେ ରେଙ୍ଗାଲି ନାଳଠାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଥିବା ବଳରାମ ଖଡ଼ିଆ(୩୭) ଏବଂ ହେଲ୍‌ପର ଖଣ୍ଡହତା ପଞ୍ଚାୟତ ବଡ଼କିରାସିରା ଗ୍ରାମର ଲକ୍ଷ୍ମୀକାନ୍ତ ପ୍ରଧାନ(୪୦)। ବୀରମହାରାଜପୁର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସକାଳେ ଟ୍ରାକ୍ଟର ବାଲି ଅନ୍‌ଲୋଡ଼ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ନାଳକୁ ଖସି ପଡ଼ିଥିଲା। ଫଳରେ ଉଭୟ ଡ୍ରାଇଭର ଓ ହେଲ୍‌ପର ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଏ ନେଇ ଖବର ପାଇ ପ୍ରାୟ ୨ ଘଣ୍ଟା ପରେ ଦମକଳ ଆସି ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି।