ଭାରତ- ସିଙ୍ଗାପୁର ଅନ୍ତର୍ଜାତୀୟ ହାକାଥନ୍‌: ସି.ଭି. ରମଣ କଲେଜ ଛାତ୍ର ପ୍ରଥମ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଆଇଆଇଟି, ମାଡ୍ରାସଠାରେ ଭାରତ-ସିଙ୍ଗାପୁର ଅନ୍ତର୍ଜାତୀୟ ହାକାଥନ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି.ଭି. ରମଣ କଲେଜର ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେଶନ ବିଭାଗର ୪ର୍ଥ ବର୍ଷର ଛାତ୍ର ଶୁଭମ ଦିବେକାରଙ୍କର ବିଜୟୀ ହୋଇଛନ୍ତି। ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପୁରସ୍କୃତ କରିଛନ୍ତି। ଚଳିତ ବର୍ଷ ସର୍ବଭାରତୀୟ ହାକାଥନ୍‌ରେ ଭାଗନେଇ ଶୁଭମ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଭାରତ-ସିଙ୍ଗାପୁର ଆର୍ନ୍ତଜାତୀୟ ହାକାଥନ୍‌ର ଏକ ସ୍ବତନ୍ତ୍ର ଗ୍ରୁପରେ ସ୍ଥାନ ପାଇଥିଲେ। ଏହି ସ୍ବତନ୍ତ୍ର ଗ୍ରୁପରେ ଶୁଭମଙ୍କ ସହ ସିଙ୍ଗାପୁରର ଟାନ ମିଙ୍ଗ୍‌ କାଇ ମିସେଲ୍‌, ଜେରା ଲୋ, ବ୍ରାଏନ୍‌ ଲିମ୍‌ ୟୁକିଆଙ୍ଗ୍‌ ଏବଂ ଭାରତର ଶ୍ୱେତା କବି, ବୈଭବ କୁମାର ମଧ୍ୟ ସ୍ଥାନ ପାଇଥିଲେ। ଏହି ଗ୍ରୁପଟି ଇନଡୋର ଏୟାର କ୍ୱାଲିଟି ମେଜରମେଣ୍ଟ ଓ ପ୍ୟୁରିଫିକେଶନ୍‌ ନିମନ୍ତେ ଏକ ସ୍ବତନ୍ତ୍ର ଚିପ୍‌ସ ନିର୍ମାଣ କରି ତାହାର ଜ୍ଞାନକୌଶଳକୁ ପ୍ରଦର୍ଶନ କରିଥିଲେ। ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଏଆଇସିଟିର ଚେୟାରମ୍ୟାନ୍‌ ଅନିଲ କୁମାର ସହସ୍ରେବୁଧେ କୃତୀ ଛାତ୍ରୀଛାତ୍ରଙ୍କୁ ଶୁଭକାମନା ଦେଇଥିଲେ। ଶୁଭମଙ୍କୁ କଲେଜର ଚେୟାରମ୍ୟାନ୍‌ ସଞ୍ଜୀବ କୁମାର ରାଉତ ଶୁଭେଚ୍ଛା ଜଣାଇଛନ୍ତି।