ଭାରତ ସହ ଯୁଦ୍ଧ ହେଲେ ହାରିବ ପାକିସ୍ତାନ: ଇମ୍ରାନ୍‌

ଇସ୍‌ଲାମାବାଦ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରଠାରୁ ପାକିସ୍ତାନ ଏକ ପ୍ରକାର କାନ୍ଦିବାରେ ଲାଗିଛି। ଏହାକୁ ନେଇ ସେ ବିଶ୍ୱ ଦରବାରରେ ନିନ୍ଦାର ପାତ୍ର ହୋଇସାରିଛି। ଦିନେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏବେ କିନ୍ତୁ ତା’ ଅସଲ ଚେହେରା କ’ଣ ତାକୁ ଚିହ୍ନି ପାରିଛି। ନିକଟରେ ଅନ୍ତରାଷ୍ଟ୍ରୀୟ ନ୍ୟୁଜ୍‌ ଏଜେନ୍ସି ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି ଯଦି ଭାରତ ସହ ଯୁଦ୍ଧ ହୁଏ ତେବେ ପାକସ୍ତାନ ହାରିବ। ସେ ପୁଣି କହିଛନ୍ତି ପାକିସ୍ତାନ କେବେବି ପ୍ରଥମେ ପରମାଣୁ ଆକ୍ରମଣ କରିବ ନାହିଁ। ଏହାସହ ସେ ଯୁଦ୍ଧ ବିରୋଧୀ ବୋଲି କହିଛନ୍ତି। କାରଣ ଯୁଦ୍ଧ ସବୁ ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧର ପରିଣାମ କେବେବି ଭଲ ନୁହେଁ ବୋଲି ସେ ତାଙ୍କ ସାକ୍ଷାତ୍‌କାରରେ କହିଛନ୍ତି। ଇମ୍ରାନଙ୍କର ଏହି କଥା ତାଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି। ସୂଚନାଯୋଗ୍ୟ, ଦିନକ ପୂର୍ବରୁ ପିଓକେର ମୁଜ୍ଜାଫରାବାଦରେ ସେ ଯୁଦ୍ଧ ପାଇଁ ଉସକାଉଥିବା ଦେଖାଯାଇଥିଲା।

Share