ଭାରତ ବିରୋଧରେ ଯାଇ ଅଣ୍ଡାମାଡ଼ ଖାଇଲେ ପାକିସ୍ତାନ ନେତା

ଲଣ୍ଡନ,୫।୯: କଶ୍ମୀର ପ୍ରସଙ୍ଗକୁ କୌଣସି ସ୍ଥିତିରେ ହାତଛଡ଼ା କରିବାକୁ ଚାହୁଁ ନାହିଁ ପାକିସ୍ତାନ। ଏଥିପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇବା ସହ ଆଶ୍ୱାସନା ପାଇବାକୁ ଚେଷ୍ଟା ଚଳାଇଛି। ହେଲେ ପାକିସ୍ତାନକୁ ଏହାର ବିପରୀତ ଫଳ ଭୋଗିବା ସହ ଧୂଳି ଚାଟିବାକୁ ପଡୁଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଲଣ୍ଡନରେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିକଟତର ବନ୍ଧୁ ଜୁଲଫି ବୁଖାରୀ ଏବଂ ତାଙ୍କ ୪ଜଣ ନେତା ଲଣ୍ଡନରେ କଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ପହଞ୍ଚିଥିଲେ। ସେ ଲଣ୍ଡନରେ ଭାରତ ବିରୋଧୀ ଅଭିଯାନ ଚଳାଇବାକୁ ଉଦ୍ୟମ କରୁଥିବା ସମୟରେ ସେମାନଙ୍କୁ ଅଣ୍ଡା ଓ ଜୋତାମାଡର ଶୀକାର ହେବାକୁ ପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ବ୍ରିଟିଶ, ପାକିସ୍ତାନ ଓ ଖଲିସ୍ତାନ ସମର୍ଥକମାନେ ବ୍ରିଟେନର ପାର୍ଲାମେଣ୍ଟ ଛକରେ ବିକ୍ଷୋଭ କରିବା ସହ ଭାରତୀୟ ହାଇକମିଶନ ଆଡ଼କୁ ‘କଶ୍ମୀର ଫ୍ରିଡମ ମାର୍ଚ୍ଚ’ ରାଲି ବାହାର କରିଥିଲେ। ଏହି ରାଲିକୁ ୟାସିନ ମଲିକର ଜେକେଏଲ୍‌ଏଫ୍‌ ସଂଗଠନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ ଜମ୍ମୁ-କଶ୍ମୀର ନ୍ୟାଶନାଲ ଆୱାମି ପାର୍ଟି, ବ୍ରିଟେନ ଓ ଜମ୍ମୁ-କଶ୍ମୀର ନ୍ୟାଶନାଲ ଷ୍ଟୁଡେଣ୍ଟ ଫେଡେରେଶନ ମଧ୍ୟ ସାମିଲ ହୋଇଥିଲେ। ତେବେ ଏହି ଆନ୍ଦୋଳନକାରୀମାନେ ପାକିସ୍ତାନୀ ରାଜନେତାଙ୍କ ଉପସ୍ଥିତିକୁ ଜୋରଦାର ବିରୋଧ କରିବା ସହ ଅଣ୍ଡାମାଡ଼ କରିଥିଲେ। ଏଥିସହ ଆନ୍ଦୋଳନସ୍ଥଳରୁ ପ୍ରଦର୍ଶନକାରୀମାନେ ସେମାନଙ୍କୁ ତଡ଼ିଦେଇଥିବା ଜଣାପଡ଼ିଛି।

Share