Categories: ଖେଳ

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ: ମ୍ୟାଟ୍‌ ହେନ୍‌ରୀଙ୍କୁ ଡକରା

ଓ୍ବେଲିଂଟନ,୧୯।୨- ଆସନ୍ତା ୨୧ ତାରିଖରେ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ନ୍ୟୁଜିଲାଣ୍ଡ ଦଳ ପେସର ମ୍ୟାଟ ହେନ୍‌ରୀଙ୍କୁ ଡକରା ଦେଇଛି। ତାଙ୍କୁ ନିଲ ଓ୍ବାଗନରଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯିବ। ଓ୍ବାଗନର ପ୍ରଥମ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ତାଙ୍କ ଅନୁପସ୍ଥିତିରେ ନ୍ୟୁଜିଲାଣ୍ଡ ଦଳରେ ଟ୍ରେଣ୍ଟ ବୋଲ୍ଟ ଓ ଟିମ ସୌଦିଙ୍କ ଭଳି ସିନିୟର ପେସରଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ବାମହାତୀ ପେସର ଓ୍ବଗନରଙ୍କ ରେକର୍ଡ ଟେଷ୍ଟରେ ଉଲ୍ଲେଖନୀୟ ରହିଛି। ସେ ୪୭ ମ୍ୟାଚ୍‌ରେ ୨୬.୩୩ ହାରରେ ୨୦୪ ଉଇକେଟ ନେଇଛନ୍ତି। ଓ୍ବାଗନର ଓ୍ବେଲିଂଟନ ଟେଷ୍ଟରେ ଦଳ ସହ ଯୋଗଦେବେ ନାହିଁ। କାରଣ ସେ ଓ ତାଙ୍କ ପତ୍ନୀ ପ୍ରଥମ ସନ୍ତାନର ଜନ୍ମକୁ ଅପେକ୍ଷା କରିଛନ୍ତି। ସେ ଟାଉରଙ୍ଗଠାରେ ଅଛନ୍ତି। ତାଙ୍କ ବଦଳରେ ହେନ୍‌ରୀ ଦଳରେ ଯୋଗଦେବେ ବୋଲି ବ୍ଲାକ କ୍ୟାପ୍ସ ପକ୍ଷରୁ ଟୁଇଟ୍‌ କରାଯାଇଛି। ହେନରୀ ନ୍ୟୁଜିଲାଣ୍ଡ ପକ୍ଷରୁ ୧୨ ଟେଷ୍ଟ ଓ ୫୨ ଦିନିକିଆ ଖେଳିସାରିଛନ୍ତି। ତାଙ୍କ ବାଦ୍‌ କାଇଲ ଜମିସନଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ସେ ଏପର୍ଯ୍ୟନ୍ତ କ୍ରିକେଟର ଲମ୍ବା ଫର୍ମାଟରେ ପର୍ଦାପଣ କରିନାହାନ୍ତି।

Share