ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ଜନତାଙ୍କ ମୃତ୍ୟୁ ହେବ: ଆମେରିକା

ଓ୍ବାଶିଂଟନ,୩।୧୦: କଶ୍ମୀର ସମସ୍ୟାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତୁତୁମେମେ କେତେବେଳେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ ତାହା କହିବା ମୁସ୍କିଲ। ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏଥିରେ ୧୨ କୋଟିରୁ ଊର୍ଦ୍ଧ୍ୱ ଜନତାଙ୍କ ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି। ୬ ବର୍ଷ ଧରି ଚାଲିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯେତିକି ଲୋକଙ୍କ ମୃତ୍ୟୁ ହୋଇଥିଲା ତା’ଠାରୁ ଏହା ଅଧିକ ବୋଲି ଜଣାପଡିଛି। କେବଳ ସେତିକି ନୁହେଁ ପରମାଣୁ ଯୁଦ୍ଧ ପରେ ଖାଦ୍ୟ ସଙ୍କଟ ମଧ୍ୟ ଯଥେଷ୍ଟ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ଆମେରିକାର ରଟଗର୍ସ ୟୁନିଭର୍ସିଟି-ନ୍ୟୁ ବର୍ଣ୍ଣସ୍‌ଓ୍ବିକର ସହ-ଲେଖକ ଆଲନ୍‌ ରୋବକ୍‌ ଏକ ଅଧ୍ୟୟନରୁ ଏହା କହିଛନ୍ତି। କେବଳ ଭାରତ ପାକିସ୍ତାନ ନୁହେଁ ସମଗ୍ର ବିଶ୍ୱ ଉପରେ ଏହାର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଇଛି। ତେବେ ଯେଉଁସ୍ଥାନକୁ ଲକ୍ଷ୍ୟ କରି ଏହି ପରମାଣୁ ଆକ୍ରମଣ କରାଯିବ ସେଠାରେ ସର୍ବାଧିକ କ୍ଷତି ହେବ। ଜର୍ନାଲ ସାଇନ୍ସ ଆଡଭାନସେଜ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆସନ୍ତା ୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧର ଆଶଙ୍କା କରାଯାଇଛି।

Share