Categories: ଖେଳ

ଭାରତ ପାଇଁ ଖେଳିବି ବୋଲି ଭାବି ନ ଥିଲି : ସଇନି

ଲଡରହିଲ(ଆମେରିକା),୪।୮(ପି.ଟି.): ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ବେଶ୍‌ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶନିବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପଦାର୍ପଣ କରି ୨୬ ବର୍ଷୀୟ ସଇନି ମାତ୍ର ୧୭ ରନ ବ୍ୟୟ କରି ୩ ଉଇକେଟ ନେବା ସହ ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ତେବେ ସେ ଭାରତ ପାଇଁ ଖେଳିବେ ବୋଲି କେବେ ଭାବି ନ ଥିବା କହିଛନ୍ତି। ଯେତେବେଳେ ଭାରତ କ୍ୟାପ୍‌ ଗ୍ରହଣ କରିଥିଲି ତାହା ମୋ ପାଇଁ ସ୍ବପ୍ନ ସଦୃଶ ଥିଲା। ଏହି ଦିନକୁ ମୁଁ ଅପେକ୍ଷା କରିଆସୁଥିଲେ ମଧ୍ୟ ବିଶ୍ୱାସ କରିପାରି ନ ଥିଲି। ସାଥି ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ସାକ୍ଷାତକାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ବିସିସିଆଇ ଟୁଇଟର ହ୍ୟାଣ୍ଡଲରେ ଏହି ସାକ୍ଷାତକାର ପୋଷ୍ଟ କରାଯାଇଛି। ବାମ ହାତରେ ଗଧିଆର ଟାଟୁ କରିବା ନେଇ ସେ ପିଲା ବେଳର କଥା ଶୁଣାଇଥିଲେ। ପିଲା ବେଳେ ଭାଇ ସହ ଗଧିଆକୁ ନେଇ ବହୁ ମୁଭି ଦେଖିଥିଲି। ସେଥିପାଇଁ ଏହି ଟାଟୁ କରିଛି ବୋଲି ଭୁବନେଶ୍ୱରଙ୍କୁ ସେ ଉତ୍ତର ଦେଇ କହିଛନ୍ତି।
ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ: କୋହଲି
ପଦାର୍ପଣରେ ଚମକ ଦେଖାଇଥିବା ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରେ ପ୍ରତିଭା ରହିଛି। ସେ ଘଣ୍ଟାପ୍ରତି ୧୫୦ କି.ମି.ରେ ବୋଲିଂ କରୁଛନ୍ତି। ସେ ମଧ୍ୟ ଫିଟ୍‌ ଅଛନ୍ତି। ଖୁବ୍‌ କମ୍‌ ବୋଲର ଅଛନ୍ତି ଯେଉଁମାନେ ୧୫୦ କିମ୍ବା ଊର୍ଦ୍ଧ୍ୱ ବେଗରେ ବୋଲିଂ କରୁଛନ୍ତି। ତେଣୁ ତାଙ୍କ ସମ୍ମୁଖରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଏହି ମ୍ୟାଚ୍‌ରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା ବୋଲି ମ୍ୟାଚ୍‌ ପରେ କୋହଲି କହିଛନ୍ତି। ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ସଇନିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ୬ ବର୍ଷ ତଳେ ଗମ୍ଭୀର ସଇନିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଓ ତାଙ୍କୁ ସାହଯ୍ୟ କରିଥିଲେ। ଦୁଇବର୍ଷ ତଳେ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଗମ୍ଭୀରଙ୍କୁ ପ୍ରଶଂସା କରିଥିଲେ। ନିଜ ସଫଳତାର ଶ୍ରେୟ ସେ ଗମ୍ଭୀରଙ୍କୁ ଦେଇଥିଲେ। ମୁଁ କିଛି ନ ଥିଲି, ଗମ୍ଭୀର ଭାଇ ମୋ ପାଇଁ ସବୁକିଛି କରିଛନ୍ତି ବୋଲି ସଇନି କହିଥିଲେ।

Share