ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ସମ୍ଭବ ନ ହେଲେ ହେବ କ’ଣ

ନୂଆଦିଲ୍ଲୀ,୧୦।୭- ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ବର୍ଷା ବାଧକ ସାଜିଛି। ନକ୍‌ଆଉଟ ମ୍ୟାଚ୍‌ ଥିବାରୁ ଏହି ମୁକାବିଲା ଲାଗି ଏକ ରିଜର୍ଭ ଡେ’ ରଖାଯାଇଛି। ଅର୍ଥାତ୍‌ ମଙ୍ଗଳବାର ନ୍ୟୁଜିଲାଣ୍ଡ ଯେଉଁଠାରେ ତା’ର ବ୍ୟାଟିଂ ଶେଷ କରିଥିଲା, ସେଠାରୁ ବୁଧବାର ଆରମ୍ଭ କରିବ। ନ ହେଲେ ଡିଏଲଏସ୍‌ ନିୟମ ଭିତ୍ତିରେ ଭାରତୀୟ ଦଳକୁ ୨୦ ଓଭରରେ ୧୪୮ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ିବ। ବର୍ଷା ଯୋଗୁ ଖେଳ ଆଉ ସମ୍ଭବ ହୋଇ ନ ପାରିଲେ, ଭାରତୀୟ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। କାରଣ ଆଇସିସି ଇଭେଣ୍ଟ ନିୟମ ଅନୁଯାୟୀ ଯଦି ସେମିଫାଇନାଲରେ କୌଣସି କାରଣରୁ ଫଳାଫଳ ବାହାରି ନ ପାରେ ପ୍ରତିପକ୍ଷ ଦଳଠାରୁ ପଏଣ୍ଟ ଟେବୁଲର ଉପରେ ଥିବା ଦଳ ଫାଇନାଲକୁ ଉନ୍ନୀତ ହେବ। ଉଲ୍ଲେଖଥାଉ କି, ଭାରତୀୟ ଦଳ ୯ ମ୍ୟାଚ୍‌ରୁ ୭ ବିଜୟ ସହ ଅଙ୍କ ତାଲିକାର ଶୀର୍ଷ ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିଛି। ଯଦି ବର୍ଷା କାରଣରୁ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରିତ ୧୪ ତାରିଖ ଓ ରିଜର୍ଭ ଡେ’ (୧୫ ତାରିଖ)ରେ ମଧ୍ୟ ଖେଳ ନ ହୋଇପାରିଲେ ଦୁଇ ଦଳକୁ ବିଜେତା ହିସାବରେ ଗ୍ରହଣ କରାଯିବ। ନକ୍‌ଆଉଟ ପର୍ଯ୍ୟାୟର ଦୁଇ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ମଧ୍ୟରୁ କୌଣସି ଯଦି ଡ୍ର’ ହୁଏ, ତେବେ ସୁପର ଓଭର ଖେଳାଯିବ।

Share