Categories: ବାଣିଜ୍ୟ

ଭାରତ-ଚାଇନା ବିରୋଧରେ ପୁଣି ବର୍ଷିଲେ ଟ୍ରମ୍ପ: ଡବ୍ଲ୍ୟୁଟିଓରେ ଫାଇଦା ନେବାକୁ ଦେବୁନି

ଓ୍ବାଶିଂଟନ,୧୬-୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଓ ଚାଇନାକୁ ନେଇ ମୁହଁ ଖୋଲିଛନ୍ତି। ଏସିଆର ଏହି ଦୁଇ ବୃହତ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ନିଜକୁ ବିକାଶଶୀଳ ଦେଶ କହି ଫାଇଦା ନେବାରେ ଲାଗିଛନ୍ତି। ଆଗାମୀ ଦିନରେ ଆଉ ସେମାନଙ୍କୁ ଲାଭ ନେବାକୁ ଦେବୁ ନାହିଁ ବୋଲି ସେ ଜୋର୍‌ ଦେଇ କହିଛନ୍ତି। ‘ଆମେରିକା ଫାର୍ଷ୍ଟ’ ନୀତି ଆପଣାଇଥିବା ଟ୍ରମ୍ପ ଭାରତ ଦ୍ୱାରା ଆମେରିକାର ଉତ୍ପାଦ ଉପରେ ଟିକସ ଆଦାୟକୁ ବିରୋଧ କରିଆସୁଛନ୍ତି। ଆମେରିକା ଉତ୍ପାଦ ଉପରେ ଶୁଳ୍କ ଆଦାୟ କରିବାରେ ଦକ୍ଷିଣ ଏସିଆର ଦେଶଗୁଡ଼ିକ ସର୍ବାଗ୍ରେ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଥାଉ କି, ଟାରିଫ୍‌ ବୃଦ୍ଧିକୁ ନେଇ ଏବେ ଭାରତ ଓ ଚାଇନା ସହ ଆମେରିକାର ମତଭେଦ ସୃଷ୍ଟି ହୋଇଛି। ଡବ୍ଲ୍ୟୁଟିଓରେ ଭାରତ ଓ ଚାଇନାକୁ ଘୋର ବିରୋଧ କରୁଛନ୍ତି ଟ୍ରମ୍ପ। ଭାରତ, ଚାଇନା ସମେତ ତୁର୍କି ଓ ଅନ୍ୟ କେତେକ ଦେଶ କିପରି ନିଜକୁ ବିକାଶଶୀଳ ଦେଶ ଭାବେ ଉଲ୍ଲେଖ କରିଛନ୍ତି ସେ ସମ୍ପର୍କରେ ଜଣାଇବାକୁ ଟ୍ରମ୍ପ ଡବ୍ଲ୍ୟୁଟିଓକୁ କହିଛନ୍ତି। ବିଶ୍ୱ ବାଣିଜ୍ୟ ସଂଗଠନ କେଉଁ ଆଧାରରେ କୌଣସି ଦେଶକୁ ବିକାଶଶୀଳ ଭାବେ ଉଲ୍ଲେଖ କରୁଛି, ସେ ତାହା ଜାଣିବାକୁ ଚାହିଁଛନ୍ତି। କୌଣସି ବିକାଶିତ ଦେଶ ନିଜକୁ ବିକାଶଶୀଳ ଦେଶ ଭାବେ ଉଲ୍ଲେଖ କରି ଫାଇଦା ନେଉଥିଲେ ସେ ଦେଶ ବିରୋଧରେ ଦଣ୍ଡାମତ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ବାଣିଜ୍ୟ ପ୍ରତିିନିଧିଙ୍କୁ ଅଧିକାର ଦେଇସାରିଛନ୍ତି। ପେନ୍‌ସିଲଭାନିଆରେ ଏକ ଜନସଭାରେ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ଚାଇନା ଏବେ ଆଉ ବିକାଶଶୀଳ ଦେଶ ହୋଇ ରହିନାହାନ୍ତି। ଏଣୁ ସେମାନେ ଡବ୍ଲ୍ୟୁଟିଓରୁ ଆଉ ଫାଇଦା ନେଇପାରିବେ ନାହିଁ। ସେମାନେ ବିଶ୍ୱ ବାଣିଜ୍ୟ ସଂଗଠନରୁ ଫାଇଦା ନେବା ସହ ଆମେରିକାକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

Share