Categories: ଖେଳ

ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ

ମେଲବୋର୍ନ, ୩୦।୧୨(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ ହୋଇଛି। ଆହତ ହୋଇଥିବା ଦ୍ରୁତ ବୋଲର ସିନ ଆବୋଟ୍ଟଙ୍କ ବଦଳରେ ବିସ୍ଫୋରକ ଓପନିଂ ଅଲରାଉଣ୍ଡର ଡ’ଆର୍କି ଶର୍ଟଙ୍କୁ ଦଳରେ ସାମିଲ କରାଯାଇଛି। ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ ଭାରତ ଗସ୍ତ ଆରମ୍ଭ କରିବ ଓ ଏହି ଦିନ ମୁମ୍ବାଇରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ସେହିପିର ଦ୍ୱିତୀୟ ଦିନିକିଆ ରାଜକୋଟରେ ୧୭ ତାରିଖରେ ଓ ତୃତୀୟ ଦିନିକିଆ ୧୯ ତାରିଖରେ ବେଙ୍ଗାଲୁରୁରେ ଆୟୋଜନ ହେବ। ଅଷ୍ଟ୍ରେଲିଆ ଦଳରେ ପୂର୍ବରୁ ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ, ଜୋଶ ହାଜେଲଉଡ ଓ କେନ୍‌ ରିଚାର୍ଡସନଙ୍କ ଭଳି ଆଗଧାଡିର ବୋଲର ସାମିଲ ରହିଛନ୍ତି। ଶର୍ଟ ଜଣେ ବିଗ୍‌ ହିଟିଂ ବ୍ୟାଟ୍ସମ୍ୟାନ ହେବା ସହିତ ଭଲ ଲେଗ୍‌ ସ୍ପିନ୍‌ ମଧ୍ୟ ବୋଲିଂ କରିଥାନ୍ତି। ଅଷ୍ଟ୍ରେଲିଆ ପାଇଁ ଶର୍ଟ ୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୨୬.୬୬ ରନ ହାରରେ ସେ ୮୩ ରନ ସଂଗ୍ରହ କରିଛନ୍ତି। ସେ ମିଡଲଅର୍ଡରେ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ଶେଷଥର ପାଇଁ ଅଷ୍ଟ୍ରେଲିଆ ୨୦୧୯ ବିଶ୍ୱକପ୍‌ ପୂର୍ବରୁ ଦିନିକିଆ ଖେଳିବାକୁ ଭାରତ ଗସ୍ତ କରିଥିଲା। ୨-୦ ପଛରେ ପଡିଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆ ୩-୨ରେ ସିରିଜ ହାତେଇଥିଲା। ବଲ ଟ୍ୟାମ୍ପରିଂ ଘଟଣା ପରେ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍‌ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ।
ଘୋଷିତ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡି’ଆର୍କି ଶର୍ଟ, ଆଷ୍ଟନ ଅଗର, ଆଲେକ୍ସ କାରେ (ଉଇକେଟକିପର), ପ୍ୟାଟ୍‌ କୁମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ ହାଜେଲଉଡ, ମାର୍ନସ ଲାବୁସେନ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ଦିନିକିଆ କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ: ଜାନୁୟାରୀ ୧୪ ମୁମ୍ବାଇ(ମୁମ୍ବାଇ)
ଦ୍ୱିତୀୟ ଦିନିକିଆ: ଜାନୁୟାରୀ ୧୭ (ରାଜକୋଟ)
ତୃତୀୟ ଦିନିକିଆ: ଜାନୁୟାରୀ ୧୯ (ବେଙ୍ଗାଲୁରୁ)

Share