Categories: ଖେଳ

ଭାରତ-ଏ’ର ସିରିଜ କ୍ଲିନ୍‌ସୁଇପ୍‌

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ୧୫୨ ରନରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ’କୁ ପରାସ୍ତ କରିଛି। ଏଥିସହ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦୁଇ ମ୍ୟାଚ୍‌ବିଶିଷ୍ଟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌କୁ ୨-୦ରେ କ୍ଲିନ୍‌ସୁଇପ୍‌ କରିଛି। ପୂର୍ବରୁ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଏକ ଇନିଂସ ଓ ୨୨୫ ରନରେ ବିଜୟ ଲାଭ କରିଥିଲା। ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଅନ୍‌ଅଫିସିଆଲ ଦିନିକିଆ ସିରିଜ ଜୁନ୍‌ ୬ରୁ ଏଠାରେ ଆରମ୍ଭ ହେବ।
ପକ୍ଷରୁ ଧାର୍ଯ୍ୟ ୪୩୦ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା-ଏ ରବିବାର ୩ୟ ଦିବସ ଶେଷ ସୁଦ୍ଧା ୭ ଉଇକେଟ୍‌ ବିନିମୟରେ ୨୧୦ ରନ ସଂଗ୍ରହ କରିଥିଲା। ଅନ୍ତିମ ଦିବସରେ ସୋମବାର ବିଜୟ ପାଇଁ ଶ୍ରୀଲଙ୍କା-ଏ’କୁ ୩ ଉଇକେଟ୍‌ରେ ଆହୁରି ୨୨୦ ରନ୍‌ ଆବଶ୍ୟକ ହେଉଥିଲା। ଶ୍ରୀଲଙ୍କା ୬୬ ରନରେ ବଳକା ୩ ଉଇକେଟ୍‌ ହରାଇ ୨୭୭ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ଏକମାତ୍ର ସଫଳତ ବ୍ୟାଟ୍ସମ୍ୟାନ ଭାବେ ଭ୍ରମଣକାରୀ ଦଳ ପକ୍ଷରୁ ଭାନୁକା ରାଜପକସା ସର୍ବାଧିକ ୧୧୦ ରନ୍‌ କରିଥିଲେ। ଭାରତ ପକ୍ଷରୁ ରାହୁଲ ଚହରଙ୍କୁ ୫ଟି ଉଇକେଟ୍‌ ମିଳିଥିଲା। ପୂର୍ବରୁ ଭାରତ-ଏ ପ୍ରଥମ ଇନିଂସରେ ୨୬୯ ରନ କରିଥିବାବେଳେ ଶ୍ରୀଲଙ୍କା-ଏ ୨୧୨ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ସେହିଭଳି ୨ୟ ଇନିଂସରେ ଭାରତ-ଏ ୩୭୨ ରନ କରିଥିଲା। ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୧୧୭ ଓ ୬୦ ରନ କରିଥିବା ଉଇକେଟ୍‌କିପର ଶ୍ରୀକର ଭରତ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାସଲ କରିଛନ୍ତି।

Share