Categories: ଖେଳ

ଭାରତ ଆଗରେ ବିଜୟ ଲକ୍ଷ୍ୟ ୩୩୮

ବର୍ମିଂହାମ,୩୦।୬: ଚଳିତ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଆଗରେ ବିଶାଳ ୩୩୮ରନର ଲକ୍ଷ୍ୟ ରଖିଛି ଆୟୋଜକ ଇଂଲଣ୍ଡ। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦୁଇ ଓପନର ଜେସନ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ପାଳି ଖେଳି ଭାରତକୁ ଏକ ମଜବୁତ୍‌ ଟାର୍ଗେଟ ଦେଇଛନ୍ତି। ଦୁହେଁ ପ୍ରଥମ ୱିକେଟ ପାଇଁ ୧୬୦ ରନ ଯୋଡିଥିଲେ। ରୟ ୫୭ ବଲରେ ୭ ଚୌକା ଓ ୨ ଛକା ସହ ୬୬ ରନ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ତେବେ ଅନ୍ୟତମ ଓପନର ବେୟାରଷ୍ଟୋ ଦ୍ରୁତ ବ୍ୟାଟିଂ କରି ନିଜର ଅଷ୍ଟମ ଦିନିକିଆ ଶତକ ପୂରଣ କରିଛନ୍ତି। ବେୟାରଷ୍ଟୋ ୧୦୯ ବଲରେ ୧୦ ଚୌକା ଓ ୬ ଛକା ସହ ୧୧୧ ରନ କରି ମହମ୍ମଦ ସାମିଙ୍କ ଦ୍ୱାରା ଆଉଟ ହୋଇଥିଲେ। ଶେଷ ଆଡକୁ ବେନ୍‌ ଷ୍ଟୋକ୍ସ ୫୪ଟି ବଲ୍‌ରୁ ୭୯ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଜୋ ରୁଟ୍‌ ୪୪, ଇୟନ୍‌ ମୋର୍ଗାନ୍‌ ୧, ଜୋସ ବଟଲର୍‌ ୨୦, କ୍ରିସ୍‌ ବୋକ୍ସ ୭ ରନ କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୩୭ ରନ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୧୦ ଓଭରରେ ୬୯ରନ ଦେଇ ୫ଟି ଓ୍ବକେଟ ହାସଲ କରିଥିଲେ। କୁଳଦୀପ ଯାଦବ ଏବଂ ଜଶପ୍ରିତ୍‌ ବୁମରାହ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ। ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ରେ ଇଂଲଣ୍ଡ ପରାସ୍ତ ହେଲେ ସେମିଫାଇନାଲ ଖେଳିବା ଆଶା ମଉଳିଯିବ। ଭାରତ ଏହି ମ୍ୟାଚ୍‌ ଜିତି ସେମିଫାଇନାଲକୁ ଉନ୍ନୀତ ହେବ।

Share