Categories: ଖେଳ

ଭାରତ-ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲ

ପୋଚେଫ୍‌ଷ୍ଟ୍ରମ (ଦକ୍ଷିଣ ଆଫ୍ରିକା), ୨୭।୧ (ପି.ଟି.)- ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଯାଇଥିବାବେଳେ ମଙ୍ଗଳବାରଠାରୁ ସୁପର୍‌ ଲିଗ୍‌ କ୍ୱାର୍ଟର ଫାଇନାଲ ଆରମ୍ଭ ହେବ। ଏହି ନକ୍‌ଆଉଟ୍‌ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ଦଳ ମଙ୍ଗଳବାର ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ୩ ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ଅପରାଜେୟ ରହି ନକ୍‌ଆଉଟ୍‌ରେ ପ୍ରବେଶ କରିଛି। ପ୍ରିୟମ ଗର୍ଗଙ୍କ ନେତୃତ୍ୱାଧିନ ଭାରତ ଏହିକ୍ରମରେ ଶ୍ରୀଲଙ୍କା (୯୦ ରନ), ଜାପାନ (୧୦ ଉଇକେଟ୍‌) ଓ ନ୍ୟୁଜିଲାଣ୍ଡ (୪୪ ରନ, ଡିଏଲ୍‌ ପଦ୍ଧତି)କୁ ପରାସ୍ତ କରିଛି। ତେଣୁ କ୍ୱାର୍ଟର ଫାଇନାଲରେ ମଧ୍ୟ ଅଷ୍ଟ୍ରେଲିଆକୁ ହରାଇ ଭାରତ ଏହି ଧାରାକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ୍‌-ବି’ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ରେକର୍ଡ ଦୃଷ୍ଟିକୋଣରୁ ଭାରତ ପଛରେ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳ ଅନ୍ତିମ-୪’ରେ ପ୍ରବେଶ ଲକ୍ଷ୍ୟରେ ରହିଛି। ତେବେ ଉଭୟ ଦଳର ଦୁଇ ରିଷ୍ଟ ସ୍ପିନର ରବି ବିଶ୍ନୋଇ ଓ ଅଷ୍ଟ୍ରେଲିଆର ତନବୀର ସାଙ୍ଗାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଭାରତୀୟ ଦଳର ଉଦୀୟମାନ ଲେଗ୍‌ ସ୍ପିନର ରବି ବର୍ତ୍ତମାନ ସୁଦ୍ଧା ୩ ମ୍ୟାଚ୍‌ରୁ ୧୦ ଉଇକେଟ୍‌ ଅକ୍ତିଆର କରିସାରିଲେଣି। ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୩୦ ରନରେ ୪ ଉଇକେଟ୍‌ ନେଇଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଗତ ଆଇପିଏଲ୍‌ ନିଲାମୀରେ କିଙ୍ଗ୍ସ ଏକାଦଶ ପଞ୍ଜାବ ତାଙ୍କୁ ୨ କୋଟି ଟଙ୍କାରେ କ୍ରୟ କରିଥିଲା। ଯାହାର ମୂଲ୍ୟ ସେ ଚଳିତ ବିଶ୍ୱକପ୍‌ରେ ପ୍ରମାଣିତ କରିସାରିଲେଣି। ଅପରପକ୍ଷରେ ଅଷ୍ଟ୍ରେଲିଆ ସ୍ପିନର ତଥା ଭାରତୀୟ ବଂଶୋଦ୍ଭବ ସାଙ୍ଗା ମଧ୍ୟ ୩ ମ୍ୟାଚ୍‌ରୁ ୧୦ ଉଇକେଟ୍‌ ନେଇସାରିଛନ୍ତି। ସେ ନାଇଜେରିଆ (୫), ଓ୍ବେଷ୍ଟଇଣ୍ଡିଜ (୪) ଓ (୧) ଇଂଲଣ୍ଡ ବିପକ୍ଷରେ ମିଳିତ ଭାବେ ଏହି ଉଇକେଟ୍‌ ପାଇଛନ୍ତି। ଉଭୟ ରବି ଓ ସାଙ୍ଗାଙ୍କ ଉପରେ ଏହି ମ୍ୟାଚ୍‌ରେ ସସ୍ତଙ୍କ ନଜର ରହିବ।

Share