Categories: ଜାତୀୟ

ଭାରତୀୟ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ: ପିଓକେରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଧ୍ୱଂସ

ନୂଆଦିଲ୍ଲୀ, ୧୦ା୯: ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ପିଓକେରେ ଥିବା ପାକ୍‌ ସେନାର ଏକ ଶିବିର ଓ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ ହୋଇଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ଲାଗି ପାକିସ୍ତାନ ସେନା ପକ୍ଷରୁ ସୁରକ୍ଷା ଓ ପ୍ରୋତ୍ସାହନ ଦିଆଯାଉଥିଲା। ପିଓକେର ଲୀପା ଉପତ୍ୟକାରେ ଥିବା ପାକିସ୍ତାନର ଗୁପ୍ତ ଆଡ୍ଡା ଉପରେ ସୋମବାର ଭାରତୀୟ ସେନା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛିି। ପାକିସ୍ତାନ ସେନା ଶିବିରକୁ ଲାଗିକରି ଏହି ଲଞ୍ଚପ୍ୟାଡ୍‌ଟି ଥିଲା। ପାକ୍‌ ସେନା ସହାୟତାରେ ଆତଙ୍କବାଦୀମାନେ ଏହିଠାରୁ ସୀମାନ୍ତ ଗ୍ରାମଗୁଡ଼ିକରେ ଆକ୍ରମଣ ଜାରି ରଖିଥିଲେ। ଗୁଳିଗୋଳା ବର୍ଷଣ ଓ ମୋର୍ଟାର ଆକ୍ରମଣ କରି ସେଠାରେ ଆତଙ୍କ ସୃଷ୍ଟି କରୁଥିଲେ।
ପିଓକେରେ ଜମାତ୍‌-ଇ-ଇସ୍‌ଲାମି ଓ ଅନ୍ୟ ଆତଙ୍କବାଦୀମାନେ କ୍ୟାମ୍ପକରି ଜେହାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା ଜଣାପଡ଼ିଛି। ଏଥିସହ ରାଓ୍ବଲକୋଟର ତାର୍‌ନୁଟି ଓ ପୋଥିବାଲାରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପାକ୍‌ ସେନା ସହାୟତାରେ ଜୈଶ୍‌-ଇ-ତୋଇବା, ହିଜ୍‌ବୁଲ ମୁଜାହିଦ୍ଦିନ, ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନ ଏଠାରେ ସକ୍ରିୟ ରହିଛନ୍ତି। ନିୟନ୍ତ୍ରଣରେଖା ପାର୍‌ହୋଇ ଏମାନେ ଭାରତରେ ପଶିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗୋଇନ୍ଦା ରିପୋର୍ଟ ମୁତାବକ ପାକ୍‌ ସେନା ଓ ଆଇଏସ୍‌ଆଇ ପିଓକେରେ ଆତଙ୍କବାଦୀ ଶିବିର ସଂଖ୍ୟା ବୃଦ୍ଧି କରିବା ସହ ଏହାର କାର୍ଯ୍ୟକଳାପ ବଢାଇବାରେ ଲାଗିଛନ୍ତି। ପିଓକେରେ ପ୍ରାୟ ୧୮ ଆତଙ୍କବାଦୀ ଶିବିର ଓ ଲଞ୍ଚ୍‌ପ୍ୟାଡ୍‌ କାର୍ଯ୍ୟକ୍ଷମ ରହିଛି। ନିୟନ୍ତ୍ରଣରେଖା ଡ଼େଇଁ ଏମାନେ ଭାରତ ଭିତରକୁ ପ୍ରବେଶ କରିବା ଅପେକ୍ଷାରେ ରହିଛନ୍ତି। ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ଭାରତୀୟ ସେନା ଶିବିର ଓ ବିଭିନ୍ନ ଧର୍ମପୀଠକୁ ଟାର୍ଗେଟ କରିବା ଲାଗି ପାକ୍‌ ସେନା ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ରହିଛି। ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନର ଅଭିଯୋଗକୁ ଅନ୍ତର୍ଜାତୀୟ ସମୁଦାୟ କୋଣଠେସା କରିବା ପରେ କଶ୍ମୀରରେ ରକ୍ତ ନଦୀ ବୁହାଇବା ଲାଗି ଆତଙ୍କବାଦୀମାନେ ପ୍ରୟାସ କରୁଥିବା ଜଣାପଡ଼ିଛି। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ଅସଲ ମୁଖା ଖୋଲିଦେଇଛି।

Share