Categories: ଜାତୀୟ

ଭାରତୀୟ ସେନାରେ ନାରୀଶକ୍ତି: ଶହେ ଯବାନ ପଦବୀ ପାଇଁ ଆବେଦନ କଲେ ୨ ଲକ୍ଷ ମହିଳା

ନୂଆଦିଲ୍ଲୀ,୪।୭: ଭାରତୀୟ ସେନାରେ ମହିଳାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏବେ ସେନାର ଶହେଟି ଯବାନ ପଦବୀ ପାଇଁ ଅନ୍‌ଲାଇନ୍‌ରେ ୨ ଲକ୍ଷରୁ ଅଧିକ ମହିଳା ଆବେଦନ କରିଥିବା ଜଣାପଡ଼ିଛି। ଏହି ପଦବୀଗୁଡ଼ିକ ମିଲିଟାରୀ ପୋଲିସ ବିଭାଗରେ ଖାଲି ପଡ଼ିଛି। ସେନାରେ ୧୯୯୦ଠାରୁ ମହିଳାଙ୍କୁ ନିଯୁକ୍ତି ମିଳୁଛି। ଇତିମଧ୍ୟରେ ସ୍ଥଳସେନାରେ ୧,୫୬୧ ମହିଳା ଅଫିସର ଥିବାବେଳେ ନୌସେନାରେ ୪୮୯ ଏବଂ ବାୟୁସେନାରେ ୧,୬୧୦ ଅଫିସର ଅଛନ୍ତି। କେତେକ ସ୍ବତନ୍ତ୍ର ବ୍ରାଞ୍ଚ୍‌ରେ ମହିଳାଙ୍କୁ ସମ୍ପୂର୍ଣ୍ଣ ସମୟ ଭିତ୍ତିକ ନିଯୁକ୍ତି ମଧ୍ୟ ମିଳୁଛି। ତେବେ ଯୁଦ୍ଧପୋତ, ବୁଡ଼ାଜାହାଜ, ସ୍ଥଳସେନାର ଗୋଳାବାରୁଦ ବାହିନୀ କ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତ କରାଯାଉନାହିଁ। ବାୟୁସେନାରେ ସେମାନଙ୍କୁ ପରୀକ୍ଷାମୂଳକ ଭାବେ ଯୁଦ୍ଧ ବିମାନ ଉଡ଼ାଇବାର ତାଲିମ୍‌ ଦିଆଯାଉଛି। ଇତିମଧ୍ୟରେ ଏଭଳି ୬ଥର ତାଲିମ୍‌ ପ୍ରଦାନ କରାଯାଇଛି। ଭାରତୀୟ ବାୟୁସେନାରେ ଶହେ ଜଣ ମହିଳା ହେଲିକପ୍ଟର ପାଇଲଟ୍‌ ଅଛନ୍ତି। ଏବେ ନୌସେନାର ପ୍ରଥମ ବ୍ୟାଚ୍‌ ପାଇଲଟ୍‌ଙ୍କୁ ତାଲିମ୍‌ ଦିଆଯାଉଛି। ସେନାରେ ୯୭୫ ମହିଳା ଡାକ୍ତର, ୧୩୦ ଡେଣ୍ଟିଷ୍ଟ୍‌ ଏବଂ ୩,୮୦୦ ନର୍ସ କାର୍ଯ୍ୟ କରୁଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।

Share