ଭାରତୀୟ ଶିଖ୍‌ଙ୍କ ପାଇଁ ଖୋଲିଲା ପାକିସ୍ତାନ ଗୁରୁଦ୍ୱାର

ଲାହୋର,୨ା୭(ପି.ଟି.): ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସିଆଲକୋଟରେ ୫୦୦ବର୍ଷର ଏକ ପୁରାତନ ବବେ-ଦେ-ବର ଗୁରୁଦ୍ୱାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପୂର୍ବରୁ ଭାରତୀୟମାନଙ୍କୁ ଏହି ଗୁରୁଦ୍ୱାରକୁ ପ୍ରବେଶ ଲାଗି ଅନୁମତି ମିଳୁ ନ ଥିଲା। ଏଠାରୁ ପାଖାପାଖି ୧୪୦କିଲୋମିଟର ଦୂରସ୍ଥ ସିଆଲକୋଟ ସିଟିରେ ଗୁରୁଦ୍ୱାର ଅବସ୍ଥିତ। ପଞ୍ଜାବରେ ଥିବା ଧର୍ମପୀଠଗୁଡିକୁ ଅନେକ ଦେଶର ଶିଖ୍‌ମାନେ ପରିଦର୍ଶନରେ ଆସିଥାଆନ୍ତି। ପାକିସ୍ତାନ, ୟୁରୋପ, କାନାଡା ଏବଂ ଆମେରିକାର ତୀର୍ଥଯାତ୍ରୀଙ୍କୁ ଗୁରୁଦ୍ୱାର ପରିଦର୍ଶନ ପାଇଁ ଅନୁମତି ମିଳେ। ପଞ୍ଜାବ ରାଜ୍ୟପାଳ ମହମ୍ମଦ ସରଓ୍ବାର ଭାରତୀୟ ଶିଖଯାତ୍ରୀମାନଙ୍କୁ ବିଦେଶୀ ପର୍ଯ୍ୟଟକଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଔକଫ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଭାରତୀୟମାନେ ସିଆଲକୋଟ ଗୁରୁଦ୍ୱାରକୁ ପରିଦର୍ଶନ କରିବାର ସୁଯୋଗ ପାଇବେ। ପ୍ରତିବର୍ଷ ହଜାର ହଜାର ଭାରତୀୟ ଶିଖ୍‌ ଭକ୍ତ ଗୁରୁ ନାନକଙ୍କ ଜନ୍ମ ଓ ଶ୍ରାଦ୍ଧ ବାର୍ଷିକୀରେ ପାକିସ୍ତାନ ଗସ୍ତ କରିଥାଆନ୍ତି। ଗୁରୁ ନାନକ ହେଉଛନ୍ତି ଶିଖ୍‌ ଧର୍ମର ପ୍ରତିଷ୍ଠାତା ତଥା ପ୍ରଥମ ଗୁରୁ। ଶିଖ୍‌ ପରମ୍ପରା ଅନୁଯାୟୀ, ଗୁରୁ ନାନକ ଷୋଡଶ ଶତାବ୍ଦୀରେ କଶ୍ମୀରରୁ ଆସି ସିଆଲକୋଟଠାରେ ପହଞ୍ଚତ୍ଥିଲେ। ସେ ଏକ ବେରି ବୃକ୍ଷମୂଳରେ ଆଶ୍ରୟ ନେଇଥିଲେ। ସର୍ଦ୍ଦାର ନାଥ ସିଂ ସେଠାରେ ନାନକଙ୍କ ସ୍ମୃତି ବହନ କରୁଥିବା ଏକ ଗୁରୁଦ୍ୱାର ନିର୍ମାଣ କରିଥିଲେ।

Share