Categories: ଖେଳ

ଭାରତୀୟ ବିଶ୍ୱକପ୍‌ ଦଳକୁ ଶକ୍ତ ଧକ୍କା

ଲଣ୍ଡନ,୨୫।୫(ପିଟି)- ଆଇସିସି ବିଶ୍ୱକପ୍‌କୁ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ପୂର୍ବରୁ ଭାରତୀୟ ଦଳକୁ ଏକ ଧକ୍କା ଲାଗିଛି। ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇଛନ୍ତି। ଶୁକ୍ରବାର ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ସେ ଏକ ପୁଲ ଶଟ୍‌ ଲଗାଇବାକୁ ଉଦ୍ୟମ କରିଥିଲେ। ହେଲେ ବଲ ତାଙ୍କ ରିଷ୍ଟରେ ବାଜିଥିଲା। ଯନ୍ତ୍ରଣା ହେବାର ତୁରନ୍ତ ପରେ ସେ ଆଉ ଅଭ୍ୟାସରେ ଅଂଶଗ୍ରହଣ କରି ନ ଥିଲେ। ଏହି ତାମିଲନାଡୁ ଖେଳାଳି ସମ୍ଭବତଃ ଭାରତୀୟ ଦଳର ୪ର୍ଥ କ୍ରମର ବ୍ୟାଟ୍ସମ୍ୟାନ। ଏଣୁ ତାଙ୍କ ଆହତ ସମସ୍ୟା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇ ଦେଇଛି। ଶଙ୍କରଙ୍କ ରିଷ୍ଟର ସ୍କାନ କରାଯାଇଛି। ମେଡିକାଲ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ଓଭାଲଠାରେ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଖେଳିବେ କି ନାହିଁ କୁହାଯାଇପାରିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। କେଦାର ଯାଦବଙ୍କ କାନ୍ଧ ସମସ୍ୟାକୁ ଟିମ୍‌ ମ୍ୟାନେଜମେଣ୍ଟ ନଜରରେ ରଖିଥିବାବେଳେ ଯଦି ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ହୋଇଥାଏ, ତେବେ କୋହଲିଙ୍କ ଚିନ୍ତା ନିଶ୍ଚିତ ବୃଦ୍ଧି ପାଇବ। ଯାଦବ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବେ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସେ ନେଟ୍ସରେ ବ୍ୟାଟିଂ କରିଥିଲେ।

Share