Categories: ଖେଳ

ଭାରତୀୟ ଦଳର ଖବରଦାତା ସମ୍ମିଳନୀକୁ ବୟକଟ୍‌ କଲା ମିଡିଆ

ସାଉଥାମ୍ପ୍‌ଟନ୍‌, ୪।୬: କ୍ରିକେଟ ବିଶ୍ୱକପ୍‌ ଖେଳିବାକୁ ଯାଇଥିବା ଭାରତୀୟ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏହାପୂର୍ବରୁ ସୋମବାର ସନ୍ଧ୍ୟାରେ ଖେଳାଳିଙ୍କ ପ୍ରାକ୍ଟିସ୍‌ ସେଶନ୍‌ ଶେଷ ପରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀକୁ ଭାରତୀୟ ଦଳର କୌଣସି ସଦସ୍ୟ ନ ଆସିବାରୁ ମିଡିଆ ଏହାକୁ ବୟକଟ୍‌ କରିଛି। ସୂଚନାଯୋଗ୍ୟ, ବୁଧବାର ମ୍ୟାଚ୍‌ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ ପାଇଁ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା। ସୋମବାର ସନ୍ଧ୍ୟା ଖବରଦାତାମାନେ କନଫରେନ୍ସ ହଲ୍‌ରେ ୨ ଘଣ୍ଟା ଅପେକ୍ଷା କରିବା ପରେ ଭାରତୀୟ ଦଳର କୌଣସି ଖେଳାଳି କିମ୍ବା ସଦସ୍ୟ ସେଠାକୁ ଯାଇ ନ ଥିଲେ। ନେଟ୍‌ ବୋଲର ଭାବେ ଇଂଲଣ୍ଡ ଯାଇଥିବା ଦୀପକ ଚହର ଏବଂ ଆଓ୍ବେଶ ଖାନ ମିଡିଆକୁ ସମ୍ବୋଧିତ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ବିଶ୍ୱକପ୍‌ ଦଳର ସଦସ୍ୟ ନ ଥିବା ଏହି ଦୁଇ ଖେଳାଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଟିମ୍‌ ପ୍ରସ୍ତୁତି ବିଷୟରେ କେମିତି କହିପାରିବେ ବୋଲି ଅଭିଯୋଗ କରି ଏହି ଖବରଦାତା ସମ୍ମିଳନୀକୁ ମିଡିଆ ବୟକଟ୍‌ କରିଥିଲା। ଯଦି ଖେଳାଳିମାନେ ମିଡିଆ ସହ କଥାବାର୍ତ୍ତା ହେବାକୁ ଚାହୁଁନାହାନ୍ତି, ତେବେ ଏଭଳି ଖବରଦାତା ସମ୍ମିଳନୀର ଆୟୋଜନ କରିବାର ନ ଥିଲା ବୋଲି ମିଡିଆ ପକ୍ଷରୁ କୁହାଯାଇଛି।

Share