Categories: ଖେଳ

ଭାରତୀୟ ଜିମ୍ନାଷ୍ଟିକ ଦଳରେ ରାକେଶ ପାତ୍ର

ନୂଆଦିଲ୍ଲୀ, ୧୨।୬(ପି.ଟି.): ମଙ୍ଗୋଲିଆର ଉଲ୍ଲାନବାତରଠାରେ ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସିନିୟର ଏସିଆନ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଜିମ୍ନାଷ୍ଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଜିଏଫ୍‌ଆଇ) ପକ୍ଷରୁ ଘୋଷିତ ଦଳରେ ଉଦୀୟମାନ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ସ୍ଥାନ ପାଇଛନ୍ତି। ରାକେଶ ରିଙ୍ଗ୍ସ ଆଣ୍ଡ୍‌ ପାରାଲେଲ୍‌ ବାର୍ସରେ ଅଂଶଗ୍ରହଣ କରିବେ। ଏହି ସମ୍ମାନଜନକ ପ୍ରତିଯୋଗିତା ଲାଗି ଜୁନ୍‌ ୭ରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଟ୍ରାଏଲ୍ସ ପ୍ରକ୍ରିୟା ଚାଲିଥିଲା। ଯେଉଁଥିରୁ ୪ ଜଣ ଲେଖାଏ ପୁରୁଷ ଓ ମହିଳାଙ୍କୁ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଛି। ପୁରୁଷ ଦଳରେ ରାକେଶ ପାତ୍ରଙ୍କ ସମେତ ଯୋଗେଶ୍ୱର ସିଂ (ଫ୍ଲୋର୍‌ ଆଣ୍ଡ୍‌ ଭଲ୍ଟ), ଦେବାଙ୍ଗ ଦେ (ପୋମେଲ ହର୍ସ) ଓ ଆରିକ ଦେ (ହୋରିଜେଣ୍ଟାଲ ବାର୍‌)। ସେହିଭଳି ମହିଳା ଦଳରେ ପଶ୍ଚିମବଙ୍ଗର ପ୍ରଣତୀ ନାୟକ (ଭଲ୍ଟ ଆଣ୍ଡ୍‌ ବିମ୍‌), ଶ୍ରଦ୍ଧା ତେଲ୍‌କର (ଅନ୍‌ଇଭେନ୍‌ ବାର୍ସ), ପ୍ରଣତୀ ଦାସ (ବିମ୍‌) ଓ ପପିୟା ଦାସ (ଫ୍ଲୋର୍‌)। ଏହି ପ୍ରତିଯୋଗିତା ମାଧ୍ୟମରେ ଦେବାଙ୍ଗ ଓ ପପିୟା ସେମାନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବେ। ଜୁନ୍‌ ୧୭ରେ ଭାରତୀୟ ଦଳ ମଙ୍ଗୋଲିଆ ଅଭିମୁଖେ ଗସ୍ତ କରିବ।

Share