Categories: ଖେଳ

‘ଭାରତୀୟ କ୍ରିକେଟକୁ ଭଗବାନ ସାହା’

ନୂଆଦିଲ୍ଲୀ,୭।୮- ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ନାମରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ଅଭିଯୋଗ ଆସିଛି। ଏଥିନେଇ ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ (ଭଜି) ଭାରତୀୟ କ୍ରିକେଟକୁ ଏବେ ଭଗବାନ ହିଁ ସାହା ବୋଲି ମନ୍ତବ୍ୟ ଦେଇଛନ୍ତି। ଡ୍ରାଭିଡଙ୍କୁ ନୋଟିସ କରାଯିବା ଘଟଣା ଉପରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରଥମେ ପ୍ରତିକ୍ରିୟା ରଖିଥିଲେ। କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଭାରତୀୟ କ୍ରିକେଟରେ ଏବେ ନୂଆ ଫ୍ୟାଶନ। ଏହା ଦ୍ୱାରା ଜଣେ ସହଜରେ ଖବରରେ ରହିପାରିବ। ଡ୍ରାଭିଡ୍‌ଙ୍କୁ ବିସିସିଆଇ ଏଥିକ୍ସ ଅଫିସର ନୋଟିସ ଜାରି କରିବା ଦୁର୍ଭାଗ୍ୟଜନକ ବୋଲି ଗାଙ୍ଗୁଲି ଟୁଇଟ୍‌ କରିଛନ୍ତି। ତାଙ୍କ ମତକୁ ସମର୍ଥନ ଜଣାଇ ଭେଟେରାନ ସ୍ପିନର ଭଜି ଟୁଇଟ୍‌ କରିଛନ୍ତି, ଜଣାନାହିଁ କେଉଁଆଡ଼େ ଭାରତୀୟ କ୍ର୍ରିକେଟ ମୁହଁାଉଛି। ଏନ୍‌ସିଏ ଦାୟିତ୍ୱ ପାଇଁ ଡ୍ରାଭିଡଙ୍କଠାରୁ କେହି ଭଲ ମିଳିବେ ନାହିଁ। ତାଙ୍କୁ ନୋଟିସ ପଠାଇବାର ଅର୍ଥ କିମ୍ବଦନ୍ତୀ ଖେଳାଳିଙ୍କ ଅପମାନ କରିବା। ଦେଶ କ୍ରିକେଟର ଉନ୍ନତି ପାଇଁ ସେମାନଙ୍କ ଦରକାର ରହିଛି। ଏବେ ଭଗବାନ ହିଁ ଭାରତୀୟ କ୍ରିକେଟକୁ ସାହା। ପୂର୍ବତନ ଭାରତୀୟ ଅଧିନାୟକ ଡ୍ରାଭିଡ୍‌ଙ୍କୁ ଉତ୍ତର ଦେବା ପାଇଁ ଦୁଇ ସପ୍ତାହ ସମୟ ଦିଆଯାଇଛି। ବିସିସିଆଇ ଏଥିକ୍ସ ଅଫିସରଙ୍କ ଅନୁଯାୟୀ, ଏନ୍‌ସିଏ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଡ୍ରାଭିଡ ଇଣ୍ଡିଆ ସିମେଣ୍ଟ ଗ୍ରୁପ୍‌ର ଉପ ସଭାପତି ପଦରେ ଅଛନ୍ତି, ଯାହାକି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜର ମାଲିକ। ସମାନ ପ୍ରକାର ଅଭିଯୋଗ ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଓ ସଚିନ ତେନ୍ଦୁଲକରଙ୍କ ନାମରେ ଆସିଥିଲା। କ୍ରିକେଟ ଉପଦେଷ୍ଟା କମିଟିର ସଦସ୍ୟ ଥିବା ଦୁଇ ପୂର୍ବତନ କ୍ରିକେଟର ଆଇପିଏଲ ଫ୍ରାଞ୍ଚାଇଜ ଯଥାକ୍ରମେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମେଣ୍ଟର ପଦରେ ଥିଲେ। ସେମାନଙ୍କୁ ନୋଟିସ ହେବା ପୂର୍ବରୁ ଉଭୟ ଉପଦେଷ୍ଟା କମିଟି ପଦତ୍ୟାଗ କରିଥିଲେ। ଏହାସତ୍ତ୍ୱେ ଗାଙ୍ଗୁଲି ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ସଭାପତି ପଦରେ ଥିବାରୁ ତାଙ୍କୁ ନୋଟିସ ଜାରି ହୋଇଥିଲା। ହେଲେ ସେ କୌଣସି ସ୍ବାର୍ଥନିହିତ ଜନିତ ମାମଲାରେ ଜଡ଼ିତ ନ ଥିବା ଉତ୍ତର ଦେଇଥିଲେ।

Share