Categories: ଜାତୀୟ

ଭାରତର ହଳଦୀ ଦ୍ୱାରା କ୍ୟାନ୍‌ସର ଚିକିତ୍ସା ଜ୍ଞାନକୌଶଳକୁ ମିଳିଲା ଆମେରିକା ପାଟେଣ୍ଟ୍‌

ଥିରୁଭାନନ୍ତପୁରମ୍‌,୧୫।୧: କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥାଏ। ଆଧୁନିକ ଜ୍ଞାନକୌଶଳରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଛି। ତେବେ ମଧ୍ୟ ଘରୋଇ ଜ୍ଞାନକୌଶଳ ତଥା ଦେଶୀ ଚିକିତ୍ସା ଦ୍ୱାରା ମଧ୍ୟ କ୍ୟାନ୍‌ସର ସେଲ୍‌କୁ ନଷ୍ଟ କରାଯାଇପାରୁଛି। ହଳଦୀ ବ୍ୟବହାର ଦ୍ୱାରା ଏଭଳି ଜ୍ଞାନକୌଶଳ ବିକଶିତ କରିପାରିଥିବା କେରଳର ଥିରୁଭାନନ୍ତପୁରମ୍‌ର ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌କୁ ଆମେରିକାର ପାଟେଣ୍ଟ୍‌ ମିଳିଛି। କ୍ୟାନସର ପ୍ରଭାବିତ ସ୍ଥାନରେ ହଳଦୀର ବ୍ୟବହାର ଦ୍ୱାରା ବେଶ୍‌ ସୁଫଳ ମିଳିପାରିଥିବା ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌ର ମୁଖ୍ୟ ଲିସୀ କ୍ରିଷ୍ଣନ୍‌ ସୂଚନା ଦେଇଛନ୍ତି। ହଳଦୀରେ ଥିବା ଆଣ୍ଟି କ୍ୟାନ୍‌ସର ଗୁଣଯୋଗୁ ଏହା ସମ୍ଭବ ହୋଇପାରିଥାଏ। ଏହା ସହଜରେ ରକ୍ତରେ ଅବଶୋଷିତ ହେବା ସହିତ ରକ୍ତ ଜମାଟ ପ୍ରକିୟାକୁ ପ୍ରତିରୋଧ କରିଥାଏ। ମାନବ ରକ୍ତର ଫ୍ରିବ୍ରିନ୍‌ରେ ଥିବା ଆଲବୁମିନ୍‌ ରକ୍ତ ଜମାଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ଏହା କ୍ୟାନ୍‌ସର କୋଷିକାକୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ। ହଳଦୀ ବ୍ୟବହାର ଦ୍ୱାରା ଧୀରେଧୀରେ କ୍ୟାନ୍‌ସର କୋଷିକା ନଷ୍ଟ ହେବା ସହିତ ଏହା ନିକଟବର୍ତ୍ତୀ କୋଷିକା ସୁରକ୍ଷିତ ଏବଂ ସଶକ୍ତ ହୋଇପାରିଥାନ୍ତି। ପାଟେଣ୍ଟ ମିଳିବା ପରେ ଏବେ ଏହି ଜ୍ଞାନକୌଶଳକୁ ଅନ୍ୟ ଘରୋଇ ତଥା ଅନ୍ତର୍ଜାତୀୟ ଚିକିତ୍ସା ସଂସ୍ଥାକୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌ର ନିର୍ଦ୍ଦେଶକ ଆଶା କିଶୋର କହିଛନ୍ତି।

Share