Categories: ଖେଳ

ଭାରତର ସ୍ଥିତି ଦୃଢ଼

ବିଶାଖାପାଟଣା,୪।୧୦: ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଡିନ ଏଲଗାର ଓ କ୍ୱିଣ୍ଟନ ଡି’ କକ୍‌ଙ୍କ ଶତକ ଲଗାଇଛନ୍ତି। ଏହାସତ୍ତ୍ୱେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ରହିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୫୦୨ ରନ୍‌ କରିଥିଲା। ଭ୍ରମଣକାରୀ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୯/୩ରୁ ବ୍ୟାଟିଂ ଆରମ୍ଭ କର ଶୀଘ୍ର ତେମ୍ବା ବାଭୁମା(୧୮)ଙ୍କ ଉଇକେଟ ହରାଇଥିଲା। ପରେ ଅଧିନାୟକ ଫାଫ ଡୁ’ପ୍ଲେସିଙ୍କ ସହ ମିଶି ଏଲଗାର ଦଳୀୟ ସ୍କୋରକୁ ୧୭୮ରେ ପହଞ୍ଚାଇଥିଲେ। ଡୁ’ପ୍ଲେସି (୫୫) ଆଉଟ୍‌ ହେବା ପରେ ଏଲଗାର ଓ ଡି’କକ୍‌ଙ୍କ ମଧ୍ୟରେ ୬ଷ୍ଠ ଉଇକେଟ ପାଇଁ ୧୬୪ ରନ୍‌ର ଭାଗୀଦାରି ହୋଇଥିଲା। ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ଏଲଗାର (୧୬୦), ଡି’କକ୍‌ (୧୧୧) ଓ ଭର୍ନନ ଫିଲାଣ୍ଡର (୦)ଙ୍କ ଉଇକେଟ ହରାଇଥିଲା। ଫଳରେ ତୃତୀୟ ଦିନ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୮ ଉଇକେଟ ହରାଇ ୩୮୫ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ସେନୁରାନ ମୁଥୁସାମୀ ୧୨ ଓ କେଶବ ମହାରାଜ ୩ ରନ୍‌ କରି ଅପରାଜିତ ଅଛନ୍ତି। ଭ୍ରମଣକାରୀ ଦଳକୁ ଇନିଂସ ଅଗ୍ରଣୀ ପାଇଁ ବଳକା ୨ ଉଇକେଟରେ ୧୧୭ ରନ୍‌ ଦରକାର। ଘରୋଇ ଦଳ ଲାଗି ରବିଚନ୍ଦ୍ରନ ଅଶ୍ୱିନ ୫ ଓ ରବୀନ୍ଦ୍ର ଜାଡେଜା ୨ ଉଇକେଟ ନେଇଛନ୍ତି।

Share