ଭାରତର ଜାତୀୟ ସଙ୍ଗୀତ ସ୍ବରରେ ଝୁମିଲେ ଆମେରିକା ଆର୍ମି ବ୍ୟାଣ୍ଡ

ଓ୍ବାଶିଂଟନ,୧୯।୯: ଆମେରିକାର ମ୍ୟାକୋର୍ଡ ସ୍ଥିତ ଜଏଣ୍ଟ ବେସ ଲେବିସରେ ଭାରତ-ଆମେରିକା ମଧ୍ୟରେ ୧୯ତମ ସଂଯୁକ୍ତ ଯୁଦ୍ଧାଭ୍ୟାସ ଚାଲିଛି। ଏହି ଅବସରରେ ଆମେରିକାର ଆର୍ମି ବ୍ୟାଣ୍ଡ ଭାରତର ରାଷ୍ଟ୍ରଗାନ ବା ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ବଜାଇ ଏହାକୁ ସମ୍ମାନ ଦେଇଛନ୍ତି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆମେରିକା ଆର୍ମି ବ୍ୟାଣ୍ଡରେ ଉଭୟ ମହିଳା ଓ ପୁରୁଷ ଥିବା ବେଳେ ଏମାନେ ସମସ୍ତେ ଭାରତର ଜାତୀୟ ସଙ୍ଗୀତର ଧୁନ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି। ସବୁଠାରୁ ମଜା କଥା ହେଲା ଆମେରିକା ଆର୍ମି ବ୍ୟାଣ୍ଡରେ ଥିବା ଜଣେ ଭାରତୀୟ ମୂଳବାସିନ୍ଦା ରଣବୀର କୌର କହିଛନ୍ତି ଭାରତ ସହ ସମରାଭ୍ୟାସ ଏକ ଭିନ୍ନ ଅନୁଭୁତି। ଯଦିଓ ସେ ଆମେରିକା ସେନାରେ ଅଛନ୍ତି ତେବେ ସେ ମୂଳତଃ ଭାରତୀୟ ହୋଇଥିବାରୁ ଏହା ତାଙ୍କୁ ଖୁବ୍‌ ଆନନ୍ଦ ଦେଇଛି। ବିଶେଷ କରି ଭାରତୀୟ ମହିଳା ସେନା ଅଧିକାରୀମାନେ ମଧ୍ୟ ଆମ ସହ ମିଶିବା ଉଭୟଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ସବୁଠାରୁ ଖୁସିର ମୁହୂର୍ତ୍ତ ବୋଲି କୌର କହିଛନ୍ତି।

Share