Categories: ବାଣିଜ୍ୟ

ଭାରତର ଆର୍ଥିକ ବିକାଶ ହାର ଅନୁମାନ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ,୨୪-୮: ବିଶ୍ୱ ରେଟିଂ ଏଜେନ୍ସି ମୁଡିଜ ମାନ୍ଦାବସ୍ଥା ଭିତରେ ଦେଶର ଆର୍ଥିକ ବିକାଶ ହାର ଅନୁମାନକୁ ହ୍ରାସ କରିଛି। ଏଜେନ୍ସି ପକ୍ଷରୁ ଆର୍ଥିକ ବର୍ଷ ୨୦୧୯ ଓ ୨୦୨୦ ଲାଗି ଜିଡିପି ଅନୁମାନରେ ଭାରି ହ୍ରାସ ଦର୍ଶାଇଛି। ୨୦୧୯ ଆର୍ଥିକ ବର୍ଷରେ ଭାରତ ଜିଡିପି ହାର ୬.୮ ପ୍ରତିଶତରୁ ୬.୨%କୁ କମାଇଛି। ସେହିପରି ଆର୍ଥିକ ବର୍ଷ ୨୦୨୦ରେ ଜିଡିପି ହାର ୭.୩ ପ୍ରତିଶତ ରହିବ ବୋଲି ପୂର୍ବରୁ ଅନୁମାନ କରିଥିବା ବେଳେ ଏବେ ଏହାକୁ ୬.୭%କୁ କମାଇ ଦେଇଛି। ଏଜେନ୍ସି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ବିଶ୍ୱରେ ଏବେ ମାନ୍ଦାବସ୍ଥାର ପରିବେଶ ସୃଷ୍ଟି ହୋଇଛି, ଯାହାର ପ୍ରଭାବ ଏସିଆର ଦେଶଗୁଡ଼ିକରେ ପଡିଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ନିବେଶ ବାତାବରଣ ମଧ୍ୟ ପ୍ରଭାବିତ ହୋଇଛି। ଉଲ୍ଲେଖଥାଉ କି, ମାନ୍ଦାବସ୍ଥା ପ୍ରଭାବରେ ଭାରତ ଅର୍ଥନୀତି ବର୍ତ୍ତମାନ ୫ମରୁ ୭ମକୁ ଖସିଯାଇଥିବା ବିଶ୍ୱବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି। ମାନ୍ଦାବସ୍ଥା କାରଣରୁ ଦେଶରେ ଏବେ ଅଟୋମୋବାଇଲ ପରେ ଏକାଧିକ ସେକ୍ଟର ପ୍ରଭାବିତ ହୋଇଛି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ହେବାରେ ଲାଗିଛି। ଅନେକ ଅଟୋମୋବାଇଲ କମ୍ପାନୀ ଅସ୍ଥାୟୀ ଭାବେ ଉତ୍ପାଦନ ମଧ୍ୟ ବନ୍ଦ କରିସାରିଲେଣି।

Share