Categories: ବାଣିଜ୍ୟ

ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୨୧-୮(ବ୍ୟୁରୋ): ଘରୋଇ ବଜାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଏକ ପ୍ରମୁଖ ସ୍ଥଳ ପାଲଟିଛି। ଅଷ୍ଟ୍ରେଲିଆ ପାଇଁ ଭାରତ ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଉଭା ହୋଇଛି। ୨୦୧୭ ସୁଦ୍ଧା ଅଷ୍ଟ୍ରେଲିଆ କମ୍ପାନୀଗୁଡିକ ଦେଶରେ ୧୪ ବିଲିୟନ ଡଲାର ପୁଞ୍ଜି ନିବେଶ କରିଛନ୍ତି। ୨୦୩୫ ସୁଦ୍ଧା ଏହା ୧୦୦ ବିଲିୟନ ଡଲାର ଛୁଇଁବ ବୋଲି କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର କନସଲ ଜେନେରାଲ ଆଣ୍ଡ୍ରିଉ ଫୋର୍ଡ କହିଛନ୍ତି। ମଙ୍ଗଳବାର ଶିଳ୍ପ ସଂଘ ଆଇସିସି ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଫୋର୍ଡ କହିଛନ୍ତି, ଭାରତ ଅଷ୍ଟ୍ରେଲିଆ ପାଇଁ ଏକ ପ୍ରମୁଖ ବାଣିଜ୍ୟ ସହଯୋଗୀ। ଭାରତ ସହ ବାଣିଜ୍ୟ ସମ୍ପର୍କକୁ ଆହୁରି ଦୃଢ କରିବାକୁ ପଦକ୍ଷେପ ନିଆଯାଉଛି। ଅଷ୍ଟ୍ରେଲୀୟ କମ୍ପାନୀଗୁଡିକ ଏଠାରେ ନିବେଶ ଓ କାରବାର କରିବାକୁ ଚାହୁଁଥିବା ସେ ସୂଚନା ଦେଇଛନ୍ତି। ଭାରତର ୧୦ କ୍ଷେତ୍ର ଏବଂ ୧୦ ପ୍ରମୁଖ ରାଜ୍ୟରେ ନିବେଶ ଲାଗି ଅଷ୍ଟ୍ରେଲିଆ ଯୋଜନା ରଖିଛି। ଏସୀୟ ରାଷ୍ଟ୍ରଗୁଡିକ ସହ ୧୦ ସ୍ବଳ୍ପ ଏବଂ ଦୀର୍ଘ ମିଆଦି ପ୍ରସ୍ତାବ ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ଷେତ୍ରଗୁଡିକ ମଧ୍ୟରେ ଶକ୍ତି, ଶିକ୍ଷା, ଦକ୍ଷତା ବିକାଶ, ଖଣିଜ, ଧାତବ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ,ସ୍ବାସ୍ଥ୍ୟ ସେବା ଏବଂ ବନ୍ଦର ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଥିବା ସେ ସ୍ପଷ୍ଟ କରିଛନ୍ତି।

Share