ଭାରତରେ ପ୍ରଥମଥର ପାଇଁ ଆରମ୍ଭ ହେବ ମସଲା କ୍ଲଷ୍ଟର

କଟକ ଅଫିସ, ୧୯ା୯:ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ପ୍ରତିଷ୍ଠାନ ପକ୍ଷରୁ କଲେଜଛକସ୍ଥିତ ଏମ୍‌ଏସ୍‌ଏମ୍‌ଇ ବିକାଶଭବନରେ ଗୁରୁବାର ମସଲା ଉଦ୍ୟୋଗପତିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ଏସ୍‌ଏମ୍‌ଇ ସହନିର୍ଦ୍ଦେଶକ ପି.କେ. ମିଶ୍ର ଯୋଗଦେଇ ଭାରତରେ ପ୍ରଥମଥର ପାଇଁ ମସଲା କ୍ଲଷ୍ଟର ଆରମ୍ଭ ହେବ ବୋଲି କହିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ମସଲା ଉଦ୍ୟୋଗୀଙ୍କୁ ମସଲା କ୍ଲଷ୍ଟର ବିଷୟରେ ବୁଝାଯାଇଥିଲା। କ୍ଲଷ୍ଟରର ଉନ୍ନତି ପାଇଁ ଏକ ନୂତନ କାର୍ଯ୍ୟକାରୀ ସମିତି ଗଠନ କରାଯାଇଛି। ରୁଚି ମସଲାର ପ୍ରତିଷ୍ଠାତା ଡ. ଶରତ ଚନ୍ଦ୍ର ସାହୁ ଏବଂ ଭାରତ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ସୁରେନ୍ଦ୍ର ପଣ୍ଡା ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓରି ମିକ୍ସ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ଜ୍ୟୋତିର୍ମୟୀ ରାଉତଙ୍କ ପକ୍ଷରୁ ସଭାପତିଭାବେ କମ୍ପାନୀ ନିର୍ଦ୍ଦେଶକ ରାଜେଶ ରାଉତ, ଉପସଭାପତି ଭାବେ ରାଜ୍‌ ମସଲା ପ୍ରତିଷ୍ଠାତା ଜ୍ୟୋତିର୍ମୟୀ ମହାନ୍ତି, ମୁସ୍‌କାନ ମସଲାର ପ୍ରତିଷ୍ଠାତା ଅନୀଲ ମୁରାର୍‌କାଙ୍କୁ ସମ୍ପାଦକ ଭାବେ ଏବଂ ରାଜଲକ୍ଷ୍ମୀ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ଉମେଶ ଚନ୍ଦ୍ର ବେହେରା କୋଷାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଦିଆଯାଇଥିଲା। କଟକ, ଖୋର୍ଦ୍ଧା ଓ ଜଗତ୍‌୍‌ସିଂହପୁର ଜିଲାର ପ୍ରାୟ ୩୦ଟି ମସଲା ଉଦ୍ୟୋଗପତି ଏହି ଶିଳ୍ପପୁଞ୍ଜର ସଭ୍ୟ ରହିଛନ୍ତି। ଅନ୍ୟାନ୍ୟ ଜିଲାର ଛୋଟବଡ଼ ମସଲା ଉଦ୍ୟୋଗୀଙ୍କୁ ଯୋଗାଯୋଗ ପାଇଁ ଫୋନ ନଂ. ୯୪୩୭୨୬୭୦୯୭ ଜାରି କରାଯାଇଛି। କାର୍ଯ୍ୟକ୍ରମରେ ରାକ୍ଷୀ ମସଲା ମହେନ୍ଦ୍ର ବେହେରା, ସନ ଫୁଡ୍‌ ଦେବେନ୍ଦ୍ର ସାହୁ, ଶ୍ରୀଜଗନ୍ନାଥ ମସଲା ନିରଞ୍ଜନ ନାଏକ, ସ୍ବାଦିଷ୍ଟ ମସଲାର ଗଗନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।