ଭାରତରେ ଗଲାଣି ୮୨୩ ଜୀବନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ଭାବେ ବୃଦ୍ଧିପାଇବାରେ ଲାଗିଛି। ଲକ୍‌ଡାଉନ୍‌ ସତ୍ତ୍ୱେ ନୂଆ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬,୧୩୧ରେ ପହଞ୍ଚି ଥିବାବେଳେ ୮୨୩ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୮୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୪୨ ଜଣଙ୍କ ଜୀବନ ଯାଇଛି। ପ୍ରତିଦିନ ଏଭଳି ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଯଦିଓ ଅଦ୍ୟାବଧି ୫,୯୦୬ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି ତଥାପି ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରିବାରେ ଲାଗିଛି। କେବଳ ମହାରାଷ୍ଟ୍ରରେ ୭,୬୨୮ ଭୂତାଣୁ ଆକ୍ରାନ୍ତ ଥିବାବେଳେ ୩୨୩ ଜୀବନ ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୧୧ ନୂଆରୋଗୀ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ପ୍ରାଣ ହରାଇଛନ୍ତି।
ରାଜଧାନୀ ଦିଲ୍ଲୀ ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨,୫୧୪ ଥିବା ବେଳେ ୫୩ ଜୀବନ ଗଲାଣି। ଗୁଜରାଟରେ ମଧ୍ୟ ସଙ୍ଗିନ ସ୍ଥିତି। ମୋଟ ୩,୦୭୧ ଜଣ ଏଠାରେ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୩୩କୁ ବୃଦ୍ଧିପାଇଛି। ମଧ୍ୟପ୍ରଦେଶରେ ୯୯ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୯୪୫। ରାଜସ୍ଥାନରେ ୨,୦୬୧ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୩୩ରେ ପହଞ୍ଚିଛି। ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶରେ ରୋଗୀସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାମିଲନାଡ଼ୁରେ ୧,୮୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧,୦୧୬ ଓ ଉତ୍ତରପ୍ରଦେଶରେ ୧,୭୯୩ ଚିହ୍ନଟ ହୋଇଛନ୍ତି। ଏହି ରାଜ୍ୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥାକ୍ରମେ ୨୩, ୩୧, ୨୭ ରହିଛି। ଅନ୍ୟ ରାଜ୍ୟ ମଧ୍ୟରେ ତେଲଙ୍ଗାନାରେ ୯୯୦, ପଶ୍ଚିମବଙ୍ଗରେ ୫୭୧, କର୍ନାଟକରେ ୫୦୦, ଜମ୍ମୁ-କଶ୍ମୀରରେ ୪୯୪, କେରଳରେ ୪୫୮, ପଞ୍ଜାବରେ ୩୦୮, ହରିୟାଣାରେ ୨୮୭ ଭୂତାଣୁ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଲୋକମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା ସହ ଲକ୍‌ଡାଉନ୍‌କୁ ମାନି ଚଳିବା ଲାଗି ପରାମର୍ଶ ଦିଆଯାଇଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ।

Share