Categories: ଜାତୀୟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଲକ୍ଷ୍ନୌ,୨୦।୩: ଭାରତରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଏହି ମହାମାରୀ ଦେଶର ୧୯ଟି ରାଜ୍ୟରେ ବ୍ୟାପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଆଉ ୪ଟି ନୂଆ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ସେଥିରୁ ୩ଜଣ ରୋଗୀ କରୋନା ସଂକ୍ରମିତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟଜଣଙ୍କ ନିକଟରେ ସାଉଦି ଆରବରୁ ଯାତ୍ରା କରି ଫେରିଛନ୍ତି। ଅପରପକ୍ଷେ ଶୁକ୍ରବାର ରାଜସ୍ଥାନର ଜୟପୁରରେ ଓ ପଞ୍ଜାବର ହୋଶିୟାରପୁରରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଆଉ ୩ଟି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ସେହିପରି ଗୁଜରାଟରେ ମଧ୍ୟ ୩ଜଣ କେରାନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ୨ଜଣ ଅହମଦାବାଦର ଥିବା ବେଳେ ଜଣେ ବଡୋଦରାର ବୋଲି ଜଣାପଡ଼ିଛି। ତେବେ ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦୬କୁ ଟପିଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତ ହୋଇ ଦେଶରେ ୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ ବିଭିନ୍ନ ସତକର୍ତା ଅବଲମ୍ବନ କରାଯିବା ସହ କେତେକ କଟକଣା ଜାରି କରାଯାଇଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରି ରବିବାର ଜନତା କର୍ଫ୍ୟୁ ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

Share