Categories: ଜାତୀୟ

ଭାରତମାତାର ବୀର ସନ୍ତାନଙ୍କୁ ଅନ୍ତିମ ବିଦାୟ

ଜୟପୁର,୫।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାଡାରେ ହୋଇଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇ କରି ଶହୀଦ ହୋଇଥିବା କର୍ନେଲ ଆଶୁତୋଷ ଶର୍ମା ଓ ମେଜର ଅନୁଜ ସୁଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମଙ୍ଗଳବାର ଅନ୍ତିମ ବିଦାୟ ଦିଆଯାଇଛି। କର୍ନେଲ ଆଶୁତୋଷ ଶର୍ମାଙ୍କୁ ମଙ୍ଗଳବାର ସକାଳେ ଜୟପୁର ମିଲିଟ୍ରି ଷ୍ଟେଶନରେ ଶେଷ ବିଦାୟ ଦିଆଯାଇଥିଲା। ଶହୀଦଙ୍କ ପରିଜନ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ମେଜର ଅନୁଜ ସୁଦଙ୍କ ଶେଷ ଦର୍ଶନ ସମୟରେ ବ୍ରିଗେଡିୟର ପଦରୁ ଅବସର ନେଇଥିବା ତାଙ୍କ ପିତା ସିକେ ସୁଦ ଗର୍ବ ଅନୁଭବ କରିଥିବା ଲକ୍ଷ୍ୟ କରାଯାଇଥିଲା। ଶେଷ ବିଦାୟ ସମୟରେ କର୍ନେଲ ଆଶୁତୋଷ ଶର୍ମାଙ୍କ ପତ୍ନୀ ସାଲ୍ୟୁଟ କରି ସ୍ବାମୀଙ୍କୁ ବିଦାୟ ଦେଇଥିଲେ। ସେହିପରି ମେଜର ଅନୁଜ ସୁଦଙ୍କ ପତ୍ନୀ କହିଥିଲେ ଦେଶପାଇଁ ସେ ଶହୀଦ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଆଉ ସେ ମୋ ସହ ସବୁବେଳେ ରହିବେ। ମେଜର ଅନୁଜଙ୍କ ମାତାପିତା ତାଙ୍କୁ ସାଲ୍ୟୁଟ କରିବା ସହ ପିତା ସିକେ ସୁଦ କହିଥିଲେ ପୁଅ ମୋ ମଥା ଉପରକୁ କରିଦେଲା। ଏଭଳି ବୀର ସନ୍ତାନକୁ ପାଇଥିବାରୁ ଭାରତମାତାର ଛାତି ଗର୍ବରେ ଫାଟିପଡୁଥିଲା।

Share