Categories: ବାଣିଜ୍ୟ

ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍‌ରେ ରଖିବ

ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍‌ ୨୭ ତାରିଖ ଯାଏ ବୃଦ୍ଧି କରିଛନ୍ତି। ତେବେ ତାଙ୍କୁ ପ୍ରତ୍ୟର୍ପଣ କରାଗଲେ କେଉଁ ଜେଲ୍‌ରେ ରଖାଯିବ ବୋଲି କୋର୍ଟ ଭାରତକୁ ପ୍ରଶ୍ନ ପଚାରିଛନ୍ତି। ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍‌ବି ମହାଠକେଇରେ ସାମିଲ ଥିବା ୪୮ବର୍ଷୀୟ ମୋଦିଙ୍କୁ ଏବେ ସାଉଥ-ଓ୍ବେଷ୍ଟ ଲଣ୍ଡନର ଓ୍ବାଣ୍ଡର୍ସଓ୍ବର୍ଥ ଜେଲ୍‌ରେ ରଖାଯାଇଛି। ଏଥିପୂର୍ବରୁ ତାଙ୍କର ଜାମିନ ଆବେଦନକୁ ୩ଥର ଖାରଜ କରାଯାଇସାରିଛି। ଗୁରୁବାର ଶୁଣାଣି ବେଳେ ଓ୍ବେଷ୍ଟମିନିଷ୍ଟର କୋର୍ଟରେ ମୋଦିଙ୍କୁ ହାଜର କରାଯାଇଥିଲା। ବିଚାରପତି ଏମ୍ମା ଆର୍ବୁଥନଟ୍‌ ତାଙ୍କର ଜେଲ୍‌ ହାଜତ ମିଆଦକୁ ଜୁନ୍‌ ୨୭ ଯାଏ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଭାରତର କେଉଁ ଜେଲ୍‌ରେ ରଖାଯିବ ସେ ସମ୍ପର୍କରେ ଆସନ୍ତା ୧୪ ଦିନ ଭିତରେ ଜଣାଇବାକୁ ବିଚାରପତି ଆର୍ବୁଥନଟ୍‌ ଭାରତକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଶୁଣାଣି ବେଳେ ଅଦାଲତରେ ଭାରତ ପକ୍ଷରୁ ଯୁକ୍ତି ଦର୍ଶାଇ କୁହାଯାଇଥିଲା ଯେ, ପିଏନ୍‌ବିକୁ ଠକିବା ପାଇଁ ମୋଦି ଜାଲ୍‌ ଲେଟର ଅଫ୍‌ ଅଣ୍ଡରଷ୍ଟାଣ୍ଡିଙ୍ଗ ଜାରି କରିବା ସହ ଏହାର ପ୍ରମୁଖ ଲାଭାର୍ଥୀ ଥିଲେ। ମହାଠକେଇ ଜରିଆରେ ଯୋଗାଡ କରିଥିବା ଅର୍ଥକୁ ମନିଲଣ୍ଡରିଂ ଜରିଆରେ ବିଦେଶକୁ ପଠାଇ ଅପରାଧ କାର୍ଯ୍ୟରେ ସାମିଲ ହୋଇଛନ୍ତି। ୨୦୧୮ ଡିସେମ୍ବରରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦେଇଥିବା ଆର୍ବୁଥନଟ୍‌ ଭାରତର ପ୍ରତିନିଧିତ୍ୱ କରୁଥିବା ସିପିସିର ଯୁକ୍ତିରେ ସହମତି ପ୍ରକାଶ କରିଥିଲେ। ନୀରବ ମୋଦି ମାମଲା ସହ ଜଡ଼ିତ ସମସ୍ତ ଦସ୍ତାବିଜକୁ ଏକତ୍ର କରି ତାଲିକାଭୁକ୍ତ କରି ଅଦାଲତରେ ଜମା କରିବାକୁ ବିଚାରପତି ସିପିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share