ଭାରତକୁ ଚନ୍ଦ୍ରରୁ ନୁହେଁ ପଡୋଶୀ ଦେଶରୁ ଆସୁଛନ୍ତି ଆତଙ୍କବାଦୀ

ପୋଲାଣ୍ଡ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ଏହାକୁ ନେଇ ସେ ଯାହାକୁ ସାହାଯ୍ୟ ମାଗିଲେ ମଧ୍ୟ ସବୁଠାରୁ ତାକୁ ନିରାଶ ହେବାକୁ ପଡୁଛି। ଜାତିସଂଘ ପରେ ଏବେ ପୋଲାଣ୍ଡ ସ୍ଥିତ ୟୁରୋପୀୟ ରୁଢିବାଦୀ ଓ ସୁଧାରବାଦୀ ସମୁହ ମଧ୍ୟ ଭାରତକୁ ସହଯୋଗ କରିବା କଥା କହିଛି। ସେ କହିଛି ଭାରତକୁ ଆସୁଥିବା ଆତଙ୍କବାଦୀ ଚନ୍ଦ୍ରରୁ ଆସୁନାହାଁନ୍ତି। ଏମାନେ ପଡୋଶୀ ଦେଶରୁ ହିଁ ଆସୁଛନ୍ତି। ତେଣୁ ଆମେ ଭାରତକୁ ସହଯୋଗ କରିବା ଉଚିତ୍‌। ଏହାକହି ସେ ପରୋକ୍ଷରେ ପାକିସ୍ତାନ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପୋଲାଣ୍ଡର ନେତା ତଥା ୟୁରୋପୀୟ ସଂଘ ସାଂସଦ ରିଜାର୍ଡ ଜର୍ନିକି କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର। ତେଣୁ ଜମ୍ମୁ-କଶ୍ମୀର ମାମଲାରେ ସେ ଯାହା ନିଷ୍ପତ୍ତି ନେଇଛି ତାହାଠିକ୍‌। କାରଣ ପଡୋଶୀ ଦେଶ ପାକିସ୍ତାନ ଆତଙ୍କବାଦୀ ସୃଷ୍ଟି କରୁଥିବା ବେଳେ ପଡୋଶୀ ଦେଶରେ ଆକ୍ରମଣ ଯୋଜନା ମଧ୍ୟ କରୁଛି। ତେଣୁ ଭାରତକୁ ଚନ୍ଦ୍ରରୁ ନୁହେଁ ବରଂ ପଡୋଶୀ ଦେଶରୁ ଆତଙ୍କବାଦୀ ଆସୁଛନ୍ତି ବୋଲି ସେ କହିଛନ୍ତି। ସେହିପରି ଇଟାଲୀର ନେତା ତଥା ୟୁରୋପୀୟ ସଂଘର ସାଂସଦ ଫୁଲଓ୍ବିୟୋ ମର୍ତୁସିଲୋ କହିଛନ୍ତି, ପାକିସ୍ତାନ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଧମକ ଦେଉଛି। ତେଣୁ ପାକିସ୍ତାନ ହେଉଛି ଏମିତି ଏକ ଦେଶ ଯିଏ ଆତଙ୍କବାଦୀଙ୍କୁ ସୃଷ୍ଟି କରି ୟୁରୋପରେ ଆକ୍ରମଣ କରୁଛି। ତେଣୁ କଶ୍ମୀର ସମସ୍ୟାକୁ ନେଇ ଭାରତ-ପାକିସ୍ତାନ ପରସ୍ପର ମଧ୍ୟରେ କଥା ହୋଇ ସମାଧାନ କରିବା ଉଚିତ୍‌।

Share