ଭାବବିହ୍ବଳ କଲା କୁନିଝିଅଙ୍କ ନିବେଦନ

ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ୨୧ ଦିନିଆ ଲକ୍‌ଡାଉନ୍‌କୁ ମାନି ନିଜ ନିଜ ଘରେ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି ଅରୁଣାଚଳ ପ୍ରଦେଶର ଜଣେ ୯ ବର୍ଷର ଝିଅ। ହେଲେ ତାଙ୍କ ନିବେଦନ ତରିକା ଭାବବିହ୍ବଳ କରିଛି। ବୟସ୍କମାନେ ଯେତେବେଳ ନିୟମ ମାନିବାକୁ ନାରାଜ ସେତେବେଳେ ଏହି କୁନି ଝିଅ ଦେଶବାସୀଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ବାପା ଜଣେ ପୋଲିସ୍‌ କର୍ମଚାରୀ ଭାବେ କାମ କରୁଥିବା ବେଳେ ବର୍ତ୍ତମାନ ସମୟରେ ସେ ନିଜ ଡ୍ୟୁଟି ଯୋଗୁ ଘରଠାରୁ ଦୂରରେ ଅଛନ୍ତି। ତେଣୁ ସର୍ବସାଧାରଣଙ୍କ ଭଲ ପାଇଁ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ମାନିବାକୁ ସେ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ କୁନିଝିଅ ଜଣକ ଏକ ପେପରରେ ଲେଖିଥିବା ହୃଦୟସ୍ପର୍ଶୀ ବାର୍ତ୍ତା ଲୋକଙ୍କ ମନକୁ ଆନ୍ଦୋଳିତ କରିଛି। ‘ମୋ ବାପା ଜଣେ ପୋଲିସ୍‌ କର୍ମଚାରୀ। ତୁମମାନଙ୍କୁ ସାହାଯ୍ୟ କରିବାକୁ ସେ ମୋ ଠାରୁ ଦୂରରେ ଅଛନ୍ତି। ତାଙ୍କୁ ସାହାଯ୍ୟ କରିବାକୁ ତୁମେମାନେ ନିଜ ଘରେ ରହିପାରିବ କି ବୋଲି ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଅରୁଣାଚଳ ପ୍ରଦେଶ ଏମ୍‌ପି ତଥା କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜ୍‌ଜୁ ନିଜ ଟୁଇଟର ହ୍ୟାଣ୍ଡେଲରେ ଏହି ଝିଅର ଏକ ଫଟୋ ପୋଷ୍ଟ କରିବା ସହ ପୋଲିସ କର୍ମଚାରୀଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ସମସ୍ତଙ୍କ ସୁରକ୍ଷା ପାଇଁ ସମଗ୍ର ଦେଶରେ ପୋଲିସ କର୍ମଚାରୀମାନେ ଦିନରାତି ଏକକରି କାମ କରୁଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ରିଜ୍‌ଜୁ ଲେଖିଛନ୍ତି।