Categories: ଜାତୀୟ

ଭାଜପା-ବାମଦଳ ସମର୍ଥକ ମୁହାଁମୁହିଁ

କୋଲକାତା,୭ା୧(ଆଇଏଏନ୍‌ଏସ୍‌): ଜେଏନ୍‌ୟୁ କ୍ୟାମ୍ପସ୍‌ ହିଂସା ପ୍ରତିବାଦରେ ସୋମବାର ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳରେ ର଼୍ୟାଲି ଚାଲିଥିବାବେଳେ ବାମଦଳ ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠିଚାଳନା କରିଥିଲା। ଯାଦବପୁର ବିଶ୍ୱବିଦ୍ୟାଳୟ (ଜେୟୁ)ର ଛାତ୍ରୀଛାତ୍ର, ଏସ୍‌ଏଫଆଇ କର୍ମୀ ଓ ବାମଦଳ କର୍ମୀମାନେ ସୁଲେଖା ମୋରେ ବସ୍‌ଷ୍ଟାଣ୍ଡରୁ ର଼୍ୟାଲି ବାହାର କରିଥିବାବେଳେ ଭାଜପା ସମର୍ଥକମାନେ ବାଘାଜତିନ ମୋରେରୁ ଯାଦବପୁର ଥାନା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଗତ ରାତିରେ ବାମଦଳ ସମର୍ଥତ୍ତ ଜେୟୁ ଛାତ୍ର ଗୋଷ୍ଠୀ ଭାଜପା କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଦଳୀୟ ପତାକା ପୋଡ଼ିଦେଇଥିବା ଅଭିଯୋଗ ହୋଇଛି। ରବିବାର ମଧ୍ୟରାତ୍ରରେ ଏହି ଘଟଣା ଘଟିଛି। ଦିଲ୍ଲୀ ଜେଏନ୍‌ୟୁରେ ହିଂସା ପ୍ରତିବାଦରେ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଶୋଭାଯାତ୍ରା ବାହାର କରିଥିବାବେଳେ ଭଙ୍ଗାରୁଜା କରିଥିଲେ। ସୁଲେଖା କ୍ରସିଂ ନିକଟରେ ଥିବା ଭାଜପା କାର୍ଯ୍ୟାଳୟରେ ବାମଦଳ ଛାତ୍ରମାନେ ପଶି ଭଙ୍ଗାରୁଜା କରିଥିଲେ ବୋଲି ଏହାର ନେତା ଅନୁପମ ହାଜରା କହିଛନ୍ତି।

Share