Categories: ଜାତୀୟ

ଭାଜପା ନେତାଙ୍କ ଘରୁ ମିଳିଲା ସ୍ବର୍ଣ୍ଣ ପଦକ ବିଜେତା ରେସଲରଙ୍କ ମୃତଦେହ

ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅବଧ ଅଞ୍ଚଳର ମିଡିଆ ପ୍ରଭାରୀ ରୁଖସାନା ନକବୀଙ୍କ ଘରୁ ଜଣେ ସ୍ବର୍ଣ୍ଣ ପଦକ ବିଜେତା ରେସଲର ରେଶମ ସିଂ(୨୬)ଙ୍କ ମୃତଦେହ ମିଳିଛି। ମୃତକଙ୍କ ପରିବାର ଲୋକେ ରୁଖସାନାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ଏହା ଆତ୍ମହତ୍ୟା ବୋଲି ପୋଲିସ କହିଛି। କିନ୍ତୁ କେଉଁ କାରଣ ପାଇଁ ରେଶମ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ। ସୂଚନାଯୋଗ୍ୟ, ଶନିବାର ଜଣେ ସାଙ୍ଗ ସହ ଲକ୍ଷ୍ନୌ ଆସିଥିଲେ ରେଶମ। ସେଠାରେ ପହଞ୍ଚିବା ପରେ ତାଙ୍କ ମୋବାଇଲ ହଠାତ୍‌ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ଏହାର ଗୋଟିଏ ଦିନ ପରେ ତାଙ୍କୁ ଫ୍ୟାନ୍‌ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଭାଜପା ନେତା ରୁଖସାନା ହତ୍ୟା ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ରେଶମଙ୍କ ପରିବାର ସହ ତାଙ୍କର ପାରିବାରିକ ସମ୍ପର୍କ ରହିଛି। ତେଣୁ ରେଶମ ତାଙ୍କ ଘରକୁ ବେଳେ ବୁଲିବାକୁ ଆସନ୍ତି। ଗତବର୍ଷ ନେପାଳରେ ଅନୁଷ୍ଠିତ ରେସଲିଂ ପ୍ରତିଯୋଗିତାରେ ରେଶମ ସ୍ବର୍ଣ୍ଣପଦକ ଜିତିଥିଲେ।

Share