ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ କ୍ଷମତାରୁ ହଟାଯିବ ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀର ରାମଲୀଲା ମଇଦାନରେ ଶପଥ ନେଇଛନ୍ତି।
ରାମଲୀଲା ମଇଦାନରେ ଆୟୋଜିତ ‘ଭୋଟ ଚୋର ଗଦ୍ଦି ଛୋଡ୍’ ରାଲିକୁ ସମ୍ବୋଧିତ କରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର (ଇସିଆଇ) ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର (ଇସି) ସୁଖବୀର ସିଂ ସାନ୍ଧୁ ଓ ବିବେକ ଜୋଷୀ ଭାଜପା ପାଇଁ କାର୍ଯ୍ୟ କରୁଛନ୍ତି। ଆମେ ସତ୍ୟ ସହ ଛିଡ଼ା ହୋଇ ରହିଛୁ। ଆମେ ମୋଦି-ଆର୍ଏସ୍ଏସ୍କୁ କ୍ଷମତାରୁ ହଟାଇଦେବୁ। ସେମାନଙ୍କ ପାଖରେ କ୍ଷମତା ରହିଛି। ସେମାନେ ଭୋଟ ଚୋରିରେ ସମ୍ପୃକ୍ତ। ସତ୍ୟ କଂଗ୍ରେସ ବିଚାରଧାରାର ଡିଏନ୍ଏରେ ମୂଳରୁ ପ୍ରବାହିତ। ଆପଣମାନେ ଆଦୌ ଭୟଭୀତ ହେବା ଅନୁଚିତ। ଶେଷରେ ଆମର ହିଁ ବିଜୟ ହେବ। ସତ୍ୟପଥର ପଥିକ ହୋଇ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏବଂ ଆର୍ଏସ୍ଏସ୍ ସରକାରକୁ ଆମେ ହଟାଇଦେବା। ରାହୁଲଙ୍କ ସହ ଉକ୍ତ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ପରେ ରାହୁଲ Xରେ ପୋଷ୍ଟ କରିଥିଲେ, କଂଗ୍ରେସ ସାରା ଦେଶର କୋଣଅନୁକୋଣରେ ଦସ୍ତଖତ ଅଭିଯାନ ଚଳାଇଛି। ୬ କୋଟି ଲୋକଙ୍କ ସ୍ବାକ୍ଷର ସମ୍ବଳିତ ଭୋଟ ଚୋରି ଅଭିଯୋଗପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ।
ସଭାକୁ ସମ୍ବୋଧିତ କରି ଖାର୍ଗେ କହିଥିଲେ, ଭୋଟ ଚୋରିରେ ସମ୍ପୃକ୍ତ ଲୋକେ ହେଉଛନ୍ତି ବିଶ୍ୱାସଘାତକ। ଭୋଟ ଅଧିକାର ଓ ସମ୍ବିଧାନକୁ ସୁରକ୍ଷା ଦେବାକୁ ହେଲେ ସେମାନଙ୍କୁ କ୍ଷମତାରୁ ହଟାଇବାକୁ ପଡ଼ିବ। ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ପୂର୍ବତନ ସରସଂଘ ଚାଳକ ଏମ୍.ଏସ୍. ଗୋଲଓ୍ବାଲକର ଓ ମନୁସ୍ମୃତି ବିଚାରଧାରା ଦେଶକୁ ନଷ୍ଟ କରିଦେବ। କେବଳ କଂଗ୍ରେସ ହିଁ ଏହାକୁ ବଞ୍ଚାଇପାରିବ। ଭାଜପା-ଆର୍ଏସ୍ଏସ୍ ଲୋକେ ସମ୍ବିଧାନକୁ ଧ୍ୱଂସ କରିବାରେ ଲାଗିଛନ୍ତି। ହିନ୍ଦୁତ୍ୱ ନାମରେ ଏହି ଲୋକେ ଗରିବମାନଙ୍କୁ ପୁନର୍ବାର ଦାସ କରିବାକ୍ୁ ଚାହୁଁଛନ୍ତି। କିନ୍ତୁ ଦେଶକୁ ସ୍ବାଧୀନ କରିଥିଲା, ଯେତେବେଳେ କି ମୋଦି ଓ ଶାହା ଜନ୍ମ ହୋଇ ନ ଥିଲେ। ଏମାନେ ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀ ଏବଂ ବି.ଆର୍. ଆମ୍ବେଡକରଙ୍କ ବିରୋଧୀ। ସେମାନେ ନେହେରୁ ଓ ସର୍ଦ୍ଦାର ପଟେଲଙ୍କ ବିଚାରଧାରାରେ ଫାଟ ଦେଖାଇ ଦେଶକୁ ବିଭାଜିତ କରିବାକୁ ଉଦ୍ୟମ ଚଳାଉଛନ୍ତି ବୋଲି ଖାର୍ଗେ ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷେ କଂଗ୍ରେସର ଭୋଟ ଚୋରି ରାଲିକୁ ଭାଜପା କହିଛି, ମୁଖ୍ୟ ବିରୋଧୀ ଦଳ ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସ୍ଥାନିତ କରିବା ପାଇଁ ଏଭଳି ଉଦ୍ୟମ କରୁଛି। ରାହୁଲଙ୍କ ଅଧୀନରେ କଂଗ୍ରେସ ଇତିହାସରେ ସମାଧି ନେବାକୁ ଯାଉଛି। ଔରଙ୍ଗଜେବଙ୍କ ନେତୃତ୍ୱରେ ମୋଗଲମାନଙ୍କ ଅବସ୍ଥା ଯାହା ହୋଇଥିଲା, ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଅବସ୍ଥା ସେପରି ହେବ ବୋଲି ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଜବାବ ଦେଇଛନ୍ତି।


