Categories: ଜାତୀୟ

ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ)ର ପୂର୍ବତନ ବିଧାୟକ ଓ୍ବାରିସ୍‌ ପଠାନଙ୍କ ବିବାଦୀୟ ବୟାନକୁ କଡା ସମାଲୋଚନା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ଓ୍ବାରିସ୍‌୍‌ଙ୍କ ମନ୍ତବ୍ୟ ନିନ୍ଦନୀୟ, ତାଙ୍କୁ ଗିରଫ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କରିଛନ୍ତି, ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌। ଭାଜପା ନେତା ଅନୁରାଗ ଠାକୁର ଏବଂ ପରବେଶ ବର୍ମା ଦିଲ୍ଲୀ ନିର୍ବାଚନ ବେଳେ ଯେଉଁଭଳି ମନ୍ତବ୍ୟ ଦେଇଥିଲେ ତାଙ୍କୁ ମଧ୍ୟ ଗିରଫ କରିବା ଉଚିତ୍‌। ସୂଚନାଯୋଗ୍ୟ, ଏଆଇଏମ୍‌ଆଇଏମ୍‌ ନେତା ଓ୍ବାରିସ ପଠାନ ନିକଟରେ କହିଥିଲେ, ଆମେ ଇଟାର ଜବାବ ଦେବା ଶିଖିଯାଇଛୁ। ଆମେ ସବୁ ଯଦି ଏକାଠି ହେବୁ ୧୫ କୋଟି ମୁସଲମାନ ଲୋକ ୧୦୦ କୋଟି ଲୋକଙ୍କ ଉପରେ ଭାରି ପଡିବୁ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଚାରିଆଡେ ସମାଲୋଚନା କରାଯାଇଥିଲା।

Share