Categories: ଜାତୀୟ

ଭାଜପାର କବର ଖୋଜା ଅଭିଯାନ: ୭ ଜଣିଆ କମିଟି ୩ ମାସରେ ଖୋଜିବେ ଦାରାଶିକୋହଙ୍କ କବର

ନୂଆଦିଲ୍ଲୀ,୧୭।୨: ଭାଜପା ପକ୍ଷରୁ ଏବେ କବର ଖୋଜା ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ଶାହାଜାହାନଙ୍କ ବଡ଼ ପୁଅ ଦାରାଶିକୋହଙ୍କ କବର ଖୋଜିବା ପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି । ୩ ମାସ ମଧ୍ୟରେ କମିଟି ରିପୋର୍ଟ ଉପସ୍ଥାପନ କରିବେ। ଦାରାଶିକୋହ ଗୀତା ସହିତ ୫୨ଟି ଉପନିଷଦର ଅନୁବାଦ ପାର୍ସୀ ଭାଷାରେ କରିଥିଲେ। ତାଙ୍କୁ ୧୬୫୯ ଅଗଷ୍ଟ ୩୦ରେ ଭାଇ ଓ୍ବରେଙ୍ଗଜେବ୍‌ଙ୍କ ନିର୍ଦ୍ଦେଶରେ ହତ୍ୟା କରାଯାଇଥିଲା। ତାଙ୍କର ମୁଣ୍ଡକୁ ଆଗ୍ରା କିଲ୍ଲାକୁ ପଠାଯାଇଥିବାବେଳେ ଶରୀରର ଅନ୍ୟ ଅଂଶକୁ ହୁମାୟୁନଙ୍କ ସ୍ମୃତି ସ୍ଥଳ ନିକଟରେ କବର ଦିଆଯାଇଥିଲା। ପରେ ଏହା ଉପରେ କିଛି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ତେବେ ଏହାକୁ ଖୋଜିବା ଅତ୍ୟନ୍ତ କଷ୍ଟକର ବୋଲି ଐତିହାସିକ କହିଛନ୍ତି। ହୁମାୟୁନ୍‌ ସ୍ମୃତିସ୍ଥଳ ନିକଟରେ ଥିବା ବହୁ କବରରେ କୌଣସି ନାମ ଲେଖାଯାଇ ନ ଥିବାରୁ ଦାରାଶିକୋହଙ୍କ କବର କେଉଁଟି ତାହା ଜାଣିବା ଅସମ୍ଭବ। ୭ ଜଣିଆ କମିଟିରେ ଡ.ଆର୍‌.ଏସ୍‌. ଭଟ୍ଟ, କେ.କେ. ମହମ୍ମଦ, ଡ. ବି.ଆର୍‌. ମଣି, ଡ. କେ.ଏନ୍‌. ଦତ୍ତ, ଡ. ବି.ଏମ୍‌. ପାଣ୍ଡେ, ଡ. ଜମାଲ ହସନ ଏବଂ ଅଶ୍ୱିନୀ ଅଗ୍ରଓ୍ବାଲଙ୍କ ସାମିଲ୍‌ କରାଯାଇଛି।

Share