Categories: ଜାତୀୟ

ଭାଜପାକୁ ସୁରକ୍ଷିତ ଭାବିଲେ ଜ୍ୟୋତିରାଦିତ୍ୟ!

ନୂଆଦିଲ୍ଲୀ,୧୧।୩: ହୋଲି ଉତ୍ସବ ଅବସରରେ ମଧ୍ୟପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଥିବା ସଙ୍କଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଏହାକୁ ନେଇ ଚାଲିଛି ମାନସ ମନ୍ଥନ। ଶୁଣିବାକୁ ମିଳିଛି କି ଜ୍ୟୋତିରାଦିତ୍ୟ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇପାରନ୍ତି। ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ ଜନତା ପାର୍ଟି(ଭାଜପା)ଏବେ ପରାଜୟ ବରଣ କରୁଥିବା ବେଳେ ଜ୍ୟୋତିରାଦିତ୍ୟ କାହିଁକି ଭାଜପାକୁ ସୁରକ୍ଷିତ ମଣିଲେ ବୋଲି ଆଲୋଚନା ହେଉଛି। କେହି କେହି କହୁଛନ୍ତି, ଦିନଥିଲା ଯେତେବେଳେ ରାହୁଲ ଗାନ୍ଧୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚ୍ଚିନ ପାଇଲଟ, ଜିତିନ ପ୍ରସାଦ, ମିଲିନ୍ଦ ଦଓ୍ବେଡାଙ୍କ ଭଳି ଯୁବ କଂଗ୍ରେସ ନେତାଙ୍କୁ ଦେଖି ଅନ୍ୟମାନେ କେତେ କ’ଣ ଚିନ୍ତା କରୁଥିଲେ। ଏମାନେ ଦଳର ମଙ୍ଗ ସମ୍ଭାଳିବେ ବୋଲି ଆଲୋଚନା ହେଉଥିଲା। କଂଗ୍ରେସର ବିଲୟ ସମୟରେ ଏମାନେ ହିଁ କଂଗ୍ରେସକୁ ରାହା ଦେବେ ବୋଲି କୁହାଯାଉଥିଲା। ୨୦୧୪ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ସମେତ ତାଙ୍କ ଯୁବ ବ୍ରିଗେଡଙ୍କୁ ସକ୍ରିୟ ଥିବା ଦେଖାଯାଇଥିଲା। ହେଲେ ଏମାନଙ୍କର ସବୁ ଆଶା ମଉଳି ଯାଇଥିଲା। ୨୦୧୪ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ତା’ର ସତ୍ତା ହରାଇବାକୁ ବସିଲା। ଏହାପରେ ୨୦୧୯ରେ ବି ରାହୁଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସେମିତି କିଛି ଭଲ ପ୍ରଦର୍ଶନ କରି ନ ଥିଲା। ଏହାପରେ କିନ୍ତୁ ଭାଜପା ଉପରେ ଅସନ୍ତୁଷ୍ଟ ଥିବା କିଛି ରାଜ୍ୟରେ ପୁଣି କଂଗ୍ରେସ ଶାସନ କଲା। କିନ୍ତୁ ସେତେବେଳକୁ ରାହୁଲ ଦଳରୁ ସାମାନ୍ୟ ଦୂରେଇ ଗଲେ। ଆଉ ଏପଟେ ତାଙ୍କ ଯୁବ ବ୍ରିଗେଡ ଏକ ପ୍ରକାର ଭାଙ୍ଗି ଗଲା ବୋଲି କୁହାଗଲା। ଏହାପରେ ବି ମାଧବ ରାଓ ସିନ୍ଧିଆ ଓ ରାଜୀବ ଗାନ୍ଧୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଜ୍ୟୋତିରାଦିତ୍ୟ ବହୁଦିନ କଂଗ୍ରେସରେ ରହିଲେ। ହେଲେ ଏବେ ସେ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି। ଅନ୍ୟପଟେ ଭାଜପାରେ ସମ୍ମାନ ଓ ରାଜ୍ୟସଭା ଯିବାର ରାସ୍ତା ସଫା ଥିବାରୁ ସେ ଭାଜପାକୁ ସୁରକ୍ଷିତ ମଣିଛନ୍ତି ବୋଲି କୁହାଯାଉଛି।

Share