Categories: ଜାତୀୟ

ଭାଜପାକୁ ସହଯୋଗ: ମାମଲା ହଟିଲା

ମୁମ୍ବାଇ,୨୬ା୧୧(ପି.ଟି.): ମହାରାଷ୍ଟ୍ର ଜଳସେଚନ ପ୍ରକଳ୍ପ ଦୁର୍ନୀତିକୁ ନେଇ ୯ଟି ମାମଲାର ତଦନ୍ତକୁ ସୋମବାର ରାଜ୍ୟ ଦୁର୍ନୀତି ନିର୍ବାରଣ ବ୍ୟୁରୋ (ଏସିବି) ବନ୍ଦ କରିଦେଇଛି। କୌଣସି ଜଳସେଚନ ଦୁର୍ନୀତି ସହ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମ୍ପୃକ୍ତି ନ ଥିବା ଏସିବି ପକ୍ଷରୁ କୁହାଯାଇଛି। ଏହାକୁ ସର୍ତ୍ତମୂଳକ ଭାବେ ବନ୍ଦ କରାଯାଇଛି। ରାଜ୍ୟ କିମ୍ବା ଅଦାଲତ ଚାହିଁଲେ ମାମଲାକୁ ପୁନର୍ବାର ଖୋଲିପାରିବେ ବୋଲି ଏସିବି ଅଧିକାରୀ କହିଛନ୍ତି। ଜଳସେଚନ ଦୁର୍ନୀତି ଅଭିଯୋଗ ପରେ ୩୦୦୦ ଟେଣ୍ଡରର ତଦନ୍ତ କରାଯାଇଥିଲା ବୋଲି ସେ କହିଛନ୍ତି।
ମହାରାଷ୍ଟ୍ରରେ ସରକାର ଗଠନରେ ଭାଜପାକୁ ସହଯୋଗ କରିଥିବାରୁ ଅଜିତଙ୍କ ନାମରେ ଥିବା ଆପରାଧିକ ମାମଲା ସହ ଜଳସେଚନ ଦୁର୍ନୀତି ସଂକ୍ରାନ୍ତ କେସ୍‌ ହଟିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୯ରୁ ୨୦୦୯ ଯାଏ ମହାରାଷ୍ଟ୍ରର ଜଳସେଚନ ବିଭାଗ ଦାୟିତ୍ୱରେ ଥିବାବେଳେ ଅଜିତ ୭୦ ହଜାର କୋଟି ଟଙ୍କାର ଦୁର୍ନୀତିରେ ଜଡ଼ିତ ଥିବା କୁହାଯାଇ ଆସୁଥିଲା।
ମାମଲା ବନ୍ଦ କରିବାକୁ ନେଇ କଂଗ୍ରେସ ମହାରାଷ୍ଟ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାଜପା-ଅଜିତ ପାଓ୍ବାର ସରକାର ଦାୟିତ୍ୱ ନେବା ପରେ ସମସ୍ତ ଦୁର୍ନୀତି ମାମଲା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା କଂଗ୍ରେସ କହିଛି। ୯ଟି ଜଳସେଚନ ମାମଲା ମଧ୍ୟରୁ କୌଣସିଟିରେ ଅଜିତ ପାଓ୍ବାରଙ୍କ ସମ୍ପୃକ୍ତି ନାହିଁ ବୋଲି ଏସିବି କହିବା ପରେ ମହାରାଷ୍ଟ୍ରରେ ସାଧୁତା ଓ ଉତ୍ତରଦାୟିତ୍ୱକୁ ଠିକାରେ ହତ୍ୟା କରାଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି।

Share