Categories: ଜାତୀୟ

ଭାଜପାକୁ କଡ଼ା ସମାଲୋଚନା କଲେ ଆଦିତ୍ୟ

ମୁମ୍ବାଇ,୨୮।୧୨: ସରକାର ଗଠନ ପାଇଁ କିଛି ଦିନ ଧରି ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଚାଲିଥିଲା। ଏହାର ଅନ୍ତ ପରେ ଠାକରେ ପରିବାରର ଇତିହାସ ଭାଙ୍ଗି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ବିଧାନସଭା ନିର୍ବାଚନ ଫଳାଫଳରେ ଭାଜପା ସବୁଠାରୁ ବଡ଼ ଦଳ ହେବା ପରେ ମଧ୍ୟ ଶାସନ କ୍ଷମତାଠାରୁ ଦୂରେଇ ଯାଇଥିଲା। ଏହାପରେ ଏନ୍‌ସିପି ଓ କଂଗ୍ରେସ ସହ ଶିବସେନା ମେଣ୍ଟ କରି ୨ଦଳର ସମର୍ଥନରେ ସରକାର ଗଠନ କରିଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଭାଜପା ଓ ଶିବସେନା ମଧ୍ୟରେ ତିକ୍ତତା ଦେଖାଦେଇଛି। ଶୁକ୍ରବାର ବରେଲିର ବିଧାୟକ ତଥା ଶିବସେନା ମୁଖ୍ୟଙ୍କ ପୁଅ ଆଦିତ୍ୟ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶାସନ କ୍ଷମତାରୁ ଦୁରେଇ ଯାଇଥିବାରୁ ଭାଜପା ଏବେ ଶିବସେନାକୁ ଇର୍ଷା କରୁଛି। କ୍ଷମତାଠାରୁ ବାହାର ହେବା ପରେ ଭାଜପା ଦୁଃଖୀ ହୋଇ ପ୍ରତିହିଂସାରେ ଜଳୁଛି। ହେଲେ ତାଙ୍କୁ ‘ବରନଲ୍‌’ ଲଗାଇବା ପାଇଁ କେବେ ପରାମର୍ଶ ଦେବି ନାହିଁ ବୋଲି ଆଦିତ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଶିବସେନା ଭାଜପାର କଷ୍ଟ ବୁଝୁଛି। କିନ୍ତୁ ଦଳ ନିଜ କାମକୁ ଭଲ ଭାବେ ତୁଲାଉ ଥିବାରୁ ସାଧାରଣଜନତା ତାଙ୍କୁ ବିଶ୍ୱାସ କରଛନ୍ତି। ଏଥିସହ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତିକୁ ମଧ୍ୟ ଦଳ ପୂରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି। ଯେପରିକି ଋଣ ଛାଡ, ୧୦ଟଙ୍କାରେ ଭୋଜନ ଇତ୍ୟାଦି। ସୂଚନାଯୋଗ୍ୟ, ଚଳିତ ବର୍ଷ ଶିବସେନା ମୁଖ୍ୟଙ୍କ ପୁଅ ଆଦିତ୍ୟ ଠାକରେ ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ବରେଲିରୁ ନିର୍ବାଚନ ଲଢ଼ି ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Share