ଭାଙ୍ଗିଲା ଫାପୁଡିଆ ନାଳ ପୋଲ: ଆନନ୍ଦପୁରକୁ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ

ଆନନ୍ଦପୁର,୮। ୯(ସ୍ବ.ପ୍ର.)-୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର ଠାରୁ ସରେଇ ଗ୍ରାମକୁ ଯୋଗେଯାଗ କରୁଥିବା ରାସ୍ତାର ଫାପୁଡିଆ ନାଳ ଉପରେ ହୋଇଥିବା ପୋଲ ଭୁଶୁଡ଼ି ପଡିଛି। ଶନିବାର ରାତି ପାଖାପାଖି ୧୦ଟା ସମୟରେ ଏହି ପୋଲ ଭୁଶୁଡିଥିବା ଗ୍ରାମବାସୀ କହିଛନ୍ତି। ପୂର୍ବଦିନ ରାତି ତଥା ଶୁକ୍ରବାର ହୋଇଥିବା ବର୍ଷା ପ୍ରଭାବରେ ନାଳରେ ବର୍ଷା ଜଳ ଯଥେଷ୍ଟ ବୃଦ୍ଧି ପାଇଥିଲା। ଫଳରେ ବହୁ ପୁରୁଣା ଏହି ପୋଲଟିର ଉଭୟପାର୍ଶ୍ୱ ଅତଡା ଖାଇ ଶେଷରେ ଭୁଶୁଡି ପଡିଥିବା ଜଣାପଡିଛି। ଫଳରେ ସରେଇ ସହିତ ଆନନ୍ଦପୁରକୁ ସିଧାସଳଖ ଯୋଗାଯୋଗରେ ବାଧାପ୍ରାପ୍ତ ହୋଇଛି। ସଂପୃକ୍ତ ରାସ୍ତା ଦେଇ ସରେଇ ଗ୍ରାମବାସୀ ମାତ୍ର ୫ କି.ମି. ଅତିକ୍ରମ କରିବା ପରେ ଆନନ୍ଦପୁରରେ ପହଞ୍ଚିଥାନ୍ତି। ଏହି ପୋଲ ଭାଙ୍ଗିବା ଫଳରେ ଲୋକମାନଙ୍କୁ ଏବେ ୧୦ ରୁ ୧୫ କି.ମି. ବୁଲି ବୁଲି ଆସିବାକୁ ପଡିବ। ପୋଲର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ଶୀଘ୍ର ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଦେଓଗାଁ କୁଶଳେଶ୍ୱର ପୀଠକୁ ଯାତାୟତ ପାଇଁ ୮ ରୁ ୯ ଗୋଟି ଗ୍ରାମର ଲୋକମାନେ ଏହି ସର୍ଟକର୍ଟ ରାସ୍ତା ଉପରେ ନିର୍ଭର କରିଥାନ୍ତି। ତେବେ ଏହି ବିପର୍ଯ୍ୟୟ ଦ୍ୱାରା ଏବେ ଲୋକମାନେ ବହୁଳ ଭାବରେ ପ୍ରଭାବିତ ହେବା ଆଶଙ୍କା କରାଯାଇଛି। ଖୁବ ଶୀଘ୍ର ଏହି ପୋଲର ନିର୍ମାଣ କାର୍ଯ୍ୟ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଉପଜିଲାପାଳ ରବୀନ୍ଦ୍ର କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଶୁକ୍ରବାର ରାତି ୧୦ ଟାରୁ ଶନିବାର ସକାଳ ୮ ଟା ଯାଏ ଆନନ୍ଦପୁର ଓ ଘସିପୁରା ଅଂଚଳରେ ୨୫୫.୦୨ ମି.ମି. ବର୍ଷା ହୋଇଥିଲା। ଏହି ବର୍ଷା ପ୍ରଭାବରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ନାଳ ଗୁଡିକରେ ଜଳରାଶି ବୃଦ୍ଧି ପାଇଥିବା ଦେଖାଯାଇଥିଲା।