Categories: ଜାତୀୟ

ଭାଙ୍ଗିବ ଚନ୍ଦ୍ରାବାବୁଙ୍କ ବିଳାସମୟ କୋଠା: ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦେଲେ ନିର୍ଦ୍ଦେଶ

ହାଇଦ୍ରାବାଦ,୨୪।୬: ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀ। ମଙ୍ଗଳବାରଠାରୁ ଏହି କୋଠା ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହେବ। ପ୍ରଜା ବେଦିକା ବାସଭବନରେ ଏବେ ଚନ୍ଦ୍ରାବାବୁ ରହୁଥିଲେ। କିଛି ଦିନ ଆଗରୁ ଏହି ବାସଭବନକୁ ସରକାରୀ ଆବାସ ଘୋଷଣା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଦାବି କରିଥିଲେ। ହେଲେ ଶନିବାର ଓ୍ବାଇଏସ୍‌ଆର କଂଗ୍ରେସ ଦଳର ସରକାର ଚନ୍ଦ୍ରାବାବୁଙ୍କ ଏହି ଘରକୁ ଜବତ କରିନେଇ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ତେଲଗୁ ଦେଶମ୍‌ ପାର୍ଟି (ଟିଡିପି)ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରତିଶୋଧର ଆଖ୍ୟା ଦେଇଛି। ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ସମବେଦନା ନ ଦେଖାଇବା ସହ ତାଙ୍କ ଘରର ଆସାବବପତ୍ରକୁ ଅମରାବତୀର ଉନ୍ଦାବଲୀ ଘର ସାମ୍ନାରେ ଫୋଫାଡି ଦିଆଯାଇଥିଲା ବୋଲି ବିରୋଧୀ ଅଭିଯୋଗ କରିଛି।

Share