ଭାଗବତ ଓଡ଼ିଆ ଜାତିର ଆଦର୍ଶ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଅତିବଡ଼ୀ ଶ୍ରୀ ଜଗନ୍ନାଥ ଦାସକୃତ ‘ଶ୍ରୀମଦ୍‌ଭାଗବତ’ ଏକ ସାତ୍ତ୍ବିକ ମହାପୁରାଣ ଏବଂ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଅନୁଭୂତିର ପ୍ରାମାଣିକ ଗ୍ରନ୍ଥ। ଏହା ଓଡ଼ିଆ ଜାତିର ଆଦର୍ଶ ଏବଂ ଓଡ଼ିଆଙ୍କ ଜାଗରଣର ସୂତ୍ରଧର। ଓଡ଼ିଆ ଜାତିକୁ ଦାର୍ଶନିକ ଜାତିରେ ପରିଣତ କରି ଏହା ଇହକାଳ ଓ ପରକାଳର ଶାସ୍ତ୍ର ଭାବରେ ସୁବିଦିତ ହୋଇଛି ବୋଲି ବିଶିଷ୍ଟ ବିଦ୍ୱାନ୍‌ ତଥା ଗବେଷକ ପ୍ରଫେସର ଉଦୟନାଥ ସାହୁ ପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସୋମବାର ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ଶ୍ରୀମଦ୍‌ଭାଗବତ’ ଉପରେ ବକ୍ତବ୍ୟ ରଖି ଦିଲ୍ଲୀସ୍ଥିତ ଜବାହରଲାଲ୍‌ ବିଶ୍ୱବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାର ପ୍ରଫେସର ସାହୁ କହିଥିଲେ ଯେ, ରସ ଐଶ୍ୱର୍ଯ୍ୟ ଓ କାବ୍ୟ ମାଧୁର୍ଯ୍ୟ ପାଇଁ ଭାଗବତ ବିଖ୍ୟାତ। ଉତ୍ତର-ଭାରତୀୟ ଭାଷାଗୁଡ଼ିକରେ ଶ୍ରୀ ଜଗନ୍ନାଥ ଦାସଙ୍କ ଭାଗବତ ଅନୁବାଦ ସର୍ବପ୍ରଥମ। ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗଦେଇ ଭାଗବତର ଅନନ୍ୟ ମାହାତ୍ମ୍ୟ ଓ ଅନତିକ୍ରମ୍ୟ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର ପୌରୋହିତ୍ୟ କରି ସ୍ବାଗତ ଭାଷଣ ଦେବା ସହିତ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରତିଷ୍ଠାନର କାର୍ଯ୍ୟାଳୟ ତତ୍ତ୍ବାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର ରାଜକିଶୋର ମିଶ୍ର, ଡ. ଶକୁନ୍ତଳା ବଳିୟାରସିଂହ ଓ ଡ. ମନୋରମା ବିଶ୍ୱାଳ ମହାପାତ୍ରଙ୍କ ସମେତ ବହୁ ସାହିତି୍ୟକ, ଲେଖକ, ବୁଦ୍ଧିଜୀବୀ ଓ ପୁସ୍ତକପ୍ରେମୀ ଉପସ୍ଥିତ ଥିଲେ।