ଭାଇରସ୍‌ ଚିହ୍ନିବ ଭାଇରିୟନ

ନ୍ୟୁୟର୍କ: ପ୍ରାଣୀମାନଙ୍କ ଦେହରେ ୧୬.୭ ଲକ୍ଷରୁ ଊର୍ଦ୍ଧ୍ୱ ଅଜଣା ଭାଇରସ୍‌ ରହିଥାନ୍ତି, ଯାହାଦ୍ୱାରା ଅନେକ ସମୟରେ ଲୋକମାନେ ସଂକ୍ରମିତ ହୋଇ ଭୟଙ୍କର ରୋଗର ଶିକାର ହୋଇଥାନ୍ତି। ଏଚ୍‌୫ଏନ୍‌୧, ଜିକା ଓ ଇବୋଲା ଭଳି ଭାଇରସ୍‌ ସଂସ୍ପର୍ଶରେ ଆସି ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ମଧ୍ୟ ନଜିର ରହିଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ଏକ ମେସିନ୍‌ ଡେଭଲପ୍‌ କରିଛନ୍ତି, ଯାହା ମଣିଷ ଦେହରେ ଥିବା ଭାଇରସ୍‌କୁ ଶୀଘ୍ର ଚିହ୍ନଟ କରିପାରିବ ବୋଲି ପିଏନ୍‌ଏଏସ୍‌ ନାମକ ପତ୍ରିକାରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଯେତେଶୀଘ୍ର ଭାଇରସ୍‌ ଚିହ୍ନଟ କରାଯିବ, ସେତେଶୀଘ୍ର ଏହାକୁ ବ୍ୟାପିବାରୁ ରୋକା ଯାଇପାରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ପେନ୍‌ ଷ୍ଟେଟ୍‌ ୟୁନିଭରସିଟି ଓ ଆମେରିକାର ନ୍ୟୁୟର୍କ ୟୁନିଭରସିଟିର ପ୍ରଫେସର ମୋରିସିଓ ଟୋରନ୍‌ସ କୁହନ୍ତି, ଆମେ ଏକ ଶସ୍ତା ଡିଭାଇସ୍‌ ଡେଭଲପ୍‌ କରିଛୁ, ଯାହା ଆକାର ଆଧାରରେ ଭାଇରସ୍‌କୁ ଚିହ୍ନି ପାରିବ। ଭାଇରସ୍‌ର ବିସ୍ତୃତ ରେଞ୍ଜକୁ ଡିଜାଇନ୍‌ କରାଯାଇଥିବା ନାନୋଟ୍ୟୁବ ସାରଣୀକୁ ଏହି ମେସିନ୍‌ ଉପଯୋଗ କରିବ। ଏହାପରେ ରମନ ସ୍ପେକ୍ଟ୍ରୋସ୍କୋପି ଦ୍ୱାରା ଭାଇରସ୍‌ ସମ୍ପର୍କରେ ଜାଣିହେବ। ଏହି ଡିଭାଇସ୍‌ର ନାଁ ‘ଭାଇରିୟନ’। ଏହା ସାହାଯ୍ୟରେ ଫସଲରେ ହେଉଥିବା ରୋଗର ଭାଇରସ୍‌କୁ ଶୀଘ୍ର ଚିହ୍ନଟ କରାଯାଇ ସମ୍ପୂର୍ଣ୍ଣ କ୍ଷେତକୁ ବଞ୍ଚାଇବା, ପ୍ରାଣୀଙ୍କୁ ହେଉଥିବା ବିଭିନ୍ନ ରୋଗର ଭାଇରସ୍‌ ଆଦିକୁ ଚିହ୍ନଟ କରିପାରିବ। ଅନ୍ୟପଟେ ଏବେ କୌଣସି ରୋଗର ଭାଇରସ୍‌ ଡିଟେକ୍ଟ କରିବାକୁ ଏକାଧିକ ଦିନ ଲାଗୁଥିବା ବେଳେ ଏହି ଡିଭାଇସ୍‌ ସ୍ବଳ୍ପ ସମୟ ମଧ୍ୟରେ ଭାଇରସ୍‌କୁ ଚିହ୍ନଟ କରିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Share