Categories: ଖେଳ

ଭାଇଙ୍କ ସହ କ୍ରିକେଟ ଅଭ୍ୟାସ ଦେଖିବାକୁ ଷ୍ଟାଡିୟମ ଯାଉଥିଲେ, ଏବେ ଭାରତୀୟ ଦଳରେ ସ୍ଥାନ ପାଇ ହାସଲ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ରେକର୍ଡ ସୃଷ୍ଟି କରିଛିନ୍ତି। ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳା ଯାଇଥିଲା। ଏହି ମ୍ୟାଚଟିକୁ ଭାରତ ୧୧ ରନ୍ରେ ଜିତିଥିଲା। ତେବେ ଭାରତୀୟ ମହିଳା ଦଳର ଏହି ବିଜୟରେ ଦୀପ୍ତି ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୪ ଓଭର ବୋଲିଂ କରି ୮ ରନ ବ୍ୟୟ କରି ୩ଟି ୱିକେଟ ଦଖଲ କରିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀପ୍ତି ଏହି ୪ ଓଭର ମଧ୍ୟରୁ ୩ ଓଭର ମେଡେନ ନେଇଥିଲେ। ଅର୍ଥାତ ପ୍ରଥମ ୧୮ଟି ବଲରେ ସେ କୌଣସି ରନ ଦେଇ ନ ଥିଲେ। ୧୯ ନଂ ବଲରେ ହିଁ ସେ ରନ ଦେଇଥିଲେ। ସେହିପରି ପ୍ରଥମ ଦୁଇ ଓଭରରେ ସେ କୌଣସି ରନ ନ ଦେଇ ଦୁଇଟି ଉଇକେଟ ମଧ୍ୟ ନେଇଥିଲେ। ଟି-୨୦ରେ ୩ ଓଭର ମେଡେନ ନେବାରେ ଦୀପ୍ତି ଭାରତର ପ୍ରଥମ ଖେଳାଳି ହେବାର ରେକର୍ଡ କରିଛନ୍ତି। ପୂର୍ବରୁ କୌଣସି ମହିଳା କିମ୍ବା ପୁରୁଷ ଟିମ୍‌ ଖେଳାଳି ଏଭଳି ରେକର୍ଡ କରି ନ ଥିଲେ।
ଦୀପ୍ତି ଭଗବାନ ଶର୍ମା ଅଗଷ୍ଟ ୨୪ ୧୯୯୭ରେ ଉତ୍ତର ପ୍ରଦେଶସ୍ଥିତ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ରେଳ ବିଭାଗରେ ଚାକିରି କରିଥିଲେ। ଦୀପ୍ତିଙ୍କ ଭାଇ ସୁମିତ ଶର୍ମା ଉତ୍ତର ପ୍ରଦେଶ ପକ୍ଷରୁ କ୍ରିକେଟ ଖେଳୁଥିଲେ। ଭାଇ ପଡିଆକୁ ଅଭ୍ୟାସ ପାଇଁ ଯାଉଥିଲାବେଳେ ଦୀପ୍ତି ତାଙ୍କୁ ଦେଖିବା ପାଇଁ ଯାଉଥିଲେ। ଧୀରେ ଧୀରେ ତାଙ୍କର କ୍ରିକେଟ ପ୍ରତି ଆଗ୍ରହ ସୃଷ୍ଟି ହେଲା। ସେ ମଧ୍ୟ ଖେଳିବାକୁ ଲାଗିଲେ। ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା।

Share