ଭଲ ସିନେମାରେ ଅଭିନୟ ଚାହାନ୍ତି ମୃଣାଳ

ନୂଆଦିଲ୍ଲୀ: ଅଭିନେତ୍ରୀ ମୁଣାଳ ଠାକୁର ଭଲ ସିନେମାରେ ଅଭିନୟ କରିବାକୁ ଚାହାନ୍ତି ବୋଲି କହିିଛନ୍ତି। ତାଙ୍କ କହିବା କଥା ହେଉଛି ଦର୍ଶକ ଯେତେବେଳେ ଭଲ ବିଷୟବସ୍ତୁଭିତ୍ତିକ ସିନେମା ଉପରେ ଗୁରୁତ୍ୱ ଦେଉଛନ୍ତି ସେହି ସମୟରେ ତାଙ୍କର ଫିଲ୍ମ ଶିଳ୍ପରେ ପ୍ରବେଶ। ଏଥିପାଇଁ ସେ ନିଜକୁ ଭାଗ୍ୟବାନ ଏବଂ ଆଶୀର୍ବାଦ ପାଇଥିବା ମନେକରନ୍ତି। ଗତବର୍ଷ ତାଙ୍କର ପ୍ରଥମ ଫିଲ୍ମ ‘ଲଭ୍‌ ସୋନିଆ’ ମହିଳା ଚୋରାଚାଲାଣ ପ୍ରସଙ୍ଗକୁ ଭିତ୍ତିକରି ନିର୍ମାଣ ହୋଇଥିବାବେଳେ ପରେ ‘ସୁପର ୩୦’ ଅନେକ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ାଉଥିବା ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ଆଧାର କରି ଗଢ଼ିଉଠିଛି। ତେଣୁ ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ବଡ କଥା ନୁହେଁ;ବରଂ ଭଲ ସିନେମାରେ ଉତ୍ତମ ଚରିତ୍ରଟିଏ ମିଳିବା ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସେ କହିଛନ୍ତି।
୨୬ବର୍ଷ ବୟସ୍କା ମୃଣାଳ ପରବର୍ତ୍ତୀ ଫିଲ୍ମ ‘ବାଟ୍‌ଲା ହାଉସ୍‌’ ପାଇଁ ଖୁବ୍‌ ତତ୍ପର ହୋଇପଡିଛନ୍ତି। ସେ ଏଥିରେ ନନ୍ଦିତା ନାମରେ ଜଣେ ଖବରଦାତା ଭୂମିକା ନିର୍ବାହ କରୁଛନ୍ତି। ପୁନଶ୍ଚ ଅନ୍ୟତମ ମୁଖ୍ୟ ଚରିତ୍ର ଡିସିପି ସଞ୍ଜୟ କୁମାର ଯାଦବ(ଜନ୍‌ ଆବ୍ରାହାମ୍‌)ଙ୍କର ସେ ସ୍ତ୍ରୀ ଭୂମିକାରେ ଅଛନ୍ତି। ୨୦୦୮ରେ ଦିଲ୍ଲୀରେ ସିରିଜ ବୋମା ବିସ୍ଫୋରଣ ପରେ ଏନ୍‌କାଉଣ୍ଟର ଘଟଣାରେ ଯାଦବ ବିବାଦୀୟ ହୋଇପଡ଼ିଥିବା ଜଣେ ବ୍ୟକ୍ତିତ୍ୱ। ଏ ସମ୍ପର୍କରେ ନନ୍ଦିତା କହନ୍ତି, ଏନ୍‌କାଉଣ୍ଟର ବେଳେ ସ୍ବାମୀ ଜୀବନର ବହୁ ବିଷମ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କ ଭୂମିକା ଖୁବ୍‌ କଷ୍ଟକର ହୋଇଥିଲା। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେ ସ୍ବାମୀଙ୍କ ପାଖେପାଖେ ରହି ତାଙ୍କ ବିଷୟରେ କ୍ରମାଗତ ରିପୋର୍ଟ ପ୍ରକାଶ କରୁଥିଲେ। ତେଣୁ ବାସ୍ତବ ଭାବପ୍ରବଣତାକୁ ପରଦାରେ ଫୁଟେଇବା ଖୁବ୍‌ କଠିନ ବୋଲି ମୃଣାଳ କହିଛନ୍ତି।

Share