Categories: ଜାତୀୟ

ଭର୍ଚୁଆଲ ରାଲିରେ ମମତାଙ୍କ ଉପରେ ଗର୍ଜିଲେ ଶାହା

ନୂଆଦିଲ୍ଲୀ,୯।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ପଶ୍ଚିମବଙ୍ଗରେ ଭର୍ଚୁଆଲ ରାଲି ମାଧ୍ୟମରେ ଦଳୀୟକର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରର ମୋଦି ସରକାରଙ୍କ ୨.୦ର ପ୍ରଥମ ବର୍ଷ ପୂରଣ ହେବାର ଅନୁଭୁତି କହିଥିଲେ । ତେବେ ଶାହାଙ୍କ ଏହି ରାଲିକୁ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖେ ବୋଲି କୁହାଯାଉଛି। କାରଣ ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ କରାଯିବ। ଏହା ପୂର୍ବରୁ ଶାହାଙ୍କର ଏହି ରାଲି ନିର୍ବାଚନ ଅଭିଯାନର ଶଙ୍ଖନାଦ ବୋଲି କୁହାଯାଉଛି। ଏହି ଭର୍ଚୁଆଲ ରାଲି ମାଧ୍ୟମରେ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ହେଲେ ଶାସନରେ ପରିବର୍ତ୍ତନ ଦରକାର। ସରକାର ବଦଳିରେ ରାଜ୍ୟରେ ଗୋଟିଏ ମିନିଟ୍‌ ମଧ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଯିବ ବୋଲି ଶାହା କହିଥିଲେ। ଏହାକୁ ନେଇ ଶାହା କହିଥିଲେ ମମତାଜୀ, ଗରିବଙ୍କ ଅଧିକାରକୁ ନେଇ ରାଜନୀତି କରିବା ବନ୍ଦ କରନ୍ତୁ। ଶେଷରେ ରାଜ୍ୟରେ ଶାସନର ପରିବର୍ତ୍ତନ ଆବଶ୍ୟକ ବୋଲି ଶାହା କହିଛନ୍ତି।

Share